କଟକ: ଏଣିକି ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି। ଏନେଇ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ଡିଏନ୍ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ପ୍ରଭାବିତ କରିଥାଏ। ପାରିବାରିକ ସଂପତ୍ତି ବିଭାଜନ/ବଣ୍ଟନ ସଂପର୍କିତ ମାମଲାରେ ବିରୋଧୀ ପକ୍ଷଙ୍କ ପିତୃତ୍ବ ନିର୍ଦ୍ଧାରଣ ପାଇଁ ଡିଏନ୍ଏ ପରୀକ୍ଷା ପାଇଁ କୁହାଯିବା ଅନୁଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।
ପାରିବାରିକ ସଂପତ୍ତି ବିବାଦକୁ ନେଇ ବିଚାରାଧୀନ ମାମଲାରେ ଜଣେ ପ୍ରତିପକ୍ଷଙ୍କ ପିତୃତ୍ବ ନିରୂପଣ କରିବା ପାଇଁ ଡିଏନ୍ଏ ପରୀକ୍ଷା ପ୍ରସଙ୍ଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଡିଏନ୍ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ଲାଗି ଏହା ଏକ ଉପଯୁକ୍ତ ମାମଲା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଡିଏନ୍ଏ ଟେଷ୍ଟ ସଂପର୍କିତ ଆବେଦନକୁ ଖାରଜ କରି କୁଚିଣ୍ଡା ସିଭିଲ ଜଜ୍ (ବରିଷ୍ଠ ଡିଭିଜନ) ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶ ହାଇକୋର୍ଟରେ କାଏମ୍ ରହିଛି।

