Screenshot 2025 09 08 135637 750x430

ଭୁବନେଶ୍ୱର: ଏଣିକି ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ। ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ବିଭାଗ। କଠୋର ହେବ ଯାଞ୍ଚ ପ୍ରକ୍ରିୟା, ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ବିଲଡିଂ ପ୍ଲାନର ଏକ କପି ନିର୍ମାଣ ସ୍ଥାନରେ ପ୍ରଦର୍ଶନ କରାଇବେ ବିଲ୍ଡର। ପ୍ଲାନ ଅନୁମୋଦନକାରୀ କର୍ତ୍ତୃପକ୍ଷ ସମୟ ସମୟରେ ନିର୍ମାଣାଧୀନ ବିଲ୍ଡିଂ ଯାଞ୍ଚ କରିବେ। କୌଣସି ବିଚ୍ୟୁତି ଦେଖାଦେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨ ଏବଂ ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ ଆଇନ, ୧୯୫୬ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ଦିଆଯିବନି ଅକ୍ୟୁପାନ୍ସି ସାର୍ଟିଫିକେଟ। ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି, ବିଲ୍ଡର ବିଲଡିଂ ପ୍ଲାନର ଏକ କପି ନିର୍ମାଣ ସ୍ଥାନରେ ପ୍ରଦର୍ଶନ କରାଇବେ। ପ୍ଲାନ ଅନୁମୋଦନକାରୀ କର୍ତ୍ତୃପକ୍ଷ ସମୟ ସମୟରେ ନିର୍ମାଣାଧୀନ ବିଲ୍ଡିଂ ଯାଞ୍ଚ କରିବେ। ନିର୍ମାଣ ସମୟରେ ଯଦି କୌଣସି ବିଚ୍ୟୁତି ଲକ୍ଷ୍ୟ କରାଯାଏ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଓସି ବା ଦଖଲ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବ।

OC ଜାରି କରିବା ପରେ ମଧ୍ୟ, ଯଦି ବିଲଡିଂ ପ୍ଲାନର ଉଲ୍ଲଂଘନ ହୋଇଥିବା ଜଣାପଡ଼େ ତେବେ ସମ୍ପୃକ୍ତ ମାଲିକ ବିରୋଧରେ ପଦକ୍ଷେପ ନିଆଯିବ। ଓସି ପ୍ରଦାନ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ। OC ନଥିବା ବିଲଡିଂକୁ ବିଦ୍ୟୁତ୍, ପାଣି ଓ ଡ୍ରେନେଜ୍ ସଂଯୋଗ ଦିଆଯିବ ନାହିଁ। ଅନଧିକୃତ ନିର୍ମାଣ ହୋଇଥିଲେ, ମିଳିବନି ଟ୍ରେଡ୍ ଲାଇସେନ୍ସ। ଅନ୍ୟ ବିଭାଗଗୁଡ଼ିକ ଅନଧିକୃତ ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ସହାୟତା ପ୍ରଦାନ କରିବେ। ସହଯୋଗ ନକଲେ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନଧିକୃତ ବିଲ୍ଡିଂ ସମ୍ପର୍କିତ ସମସ୍ତ ପ୍ରକାର ଆବେଦନର ସମାଧାନ ୯୦ ଦିନ ଭିତରେ ସାରିବାକୁ ଦିଆଯାଇଛି ନିର୍ଦ୍ଦେଶ।

Share