ଭୁବନେଶ୍ବର: ଆଜି ହେଉଛି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜି ଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ । ଏହା ୧୫ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।
ପିତୃପକ୍ଷ ଅବସରରେ ଆଜି ପୁରୀର ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନକରି ତିଳତର୍ପଣ କରିବାକୁ ଲୋକଙ୍କ ବହୁ ଭିଡ ଦେଖିବାକୁ ମିଳିଛି । ତେଣୁ ଶ୍ରଦ୍ଧାର ସହ ଶ୍ରାଦ୍ଧ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।
ସେହିପରି, ଏକାମ୍ର କ୍ଷେତ୍ରର ବିନ୍ଦୁସାଗର କୂଳକୁ ଲୋକମାନେ ସକାଳୁ ସକାଳୁ ଆସିଛନ୍ତି । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସମେତ ଚାଲିଛି ତିଳ ତର୍ପଣ । ତିଳ ତର୍ପଣ କରି ପିତୃପୁରୁଷଙ୍କୁ ଶ୍ରଦ୍ଧା ସ୍ୱରୂପ ପିଣ୍ଡ ଦେଉଛନ୍ତି ।

