Img 20250911 164533 750x430 1

ଭୁବନେଶ୍ୱର: ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ (Mahanadi River Front Development) ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା। ଜଳ ସମ୍ପଦ ବିକାଶ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହେବ।

ଯୋଜନାକୁ ମଞ୍ଜୁରୀଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାନଦୀ ହେଉଛି ଓଡିଶାର ଜୀବନରେଖା। ମହାନଦୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିବେଶ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ। ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ନଦୀ କୂଳରେ ସହର ପାଇଁ ସାମାଜିକ, ସାଂସ୍କୃତିକ ସୁବିଧା ଯୋଗାଇଦେବା, ଘରୋଇ ସହଭାଗିତା ମାଧ୍ୟମରେ ଜଳକ୍ରୀଡା, ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ, ହର୍ବାଲ ଉଦ୍ୟାନ ଆଦିର ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ, ନଦୀତଟ କ୍ଷୟ ତଥା ନଦୀ ସଂରଚନାର ନିୟନ୍ତ୍ରଣ, ଆବର୍ଜନା ନିଷ୍କାସନ ପଥ ପରିବର୍ତ୍ତନ କରି ନଦୀଜଳ ସଫା ରଖିବା, ଜଳ ସଂରକ୍ଷଣ ଦ୍ୱାରା ଜଳାଭାବ ସମୟରେ ନିକଟସ୍ଥ ଅଞ୍ଚଳକୁ ପାନୀୟଜଳ ଯୋଗାଣ ଏବଂ ସମ୍ବଳର ସ୍ଥାୟୀ ବିକାଶ ସହିତ ପାରିପାର୍ଶ୍ୱିକ କ୍ଷେତ୍ରକୁ ପୁନର୍ଜୀବିତ କରିବା।

ଏହି ଯୋଜନାରେ ଦୁଇଟି ସ୍ଥାନରେ ନଦୀତଟର ବିକାଶ କରାଯିବ। ପ୍ରଥମଟି ହେଉଛି ସମ୍ବଲପୁରର ମାଣ୍ଡାଲିଆରୁ ଚୌନପୁର ପର୍ଯ୍ୟନ୍ତ ମହାନଦୀରେ ନଦୀକୂଳ ବିକାଶ। ଏଥିରେ ପାର୍କିଂ ସ୍ଥାନ, ଜଗିଙ୍ଗ୍ ପାର୍କ, ସେଲ୍‌ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ଘାଟର ଉନ୍ନତି କରଣ, ସ୍ନାନ ଘାଟ ନିର୍ମାଣ, ଆରତୀ ଘାଟ, ଥିମ୍‌ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ଆଦିର ବିକାଶ କରାଯିବ। ଏଥିପାଇଁ ୧୬୦ କୋଟି ଟଙ୍କା ବିନିଯୋଗ ହେବ।

ଦ୍ୱିତୀୟଟି ହେଉଛି, ଭୁବନେଶ୍ୱର ପାଣ୍ଡରା ନିକଟ କୂଆଖାଇ ଓ କୁଶଭଦ୍ରା ନଦୀରେ ନଦୀତଟ ବିକାଶ। ଏଥିରେ ସୁରକ୍ଷା କାର୍ଯ୍ୟ ସହିତ ନଦୀକୂଳ ଘାଟର ବିକାଶ, ରିଙ୍ଗ୍‌ରୋଡ ସହିତ ଦୃଶ୍ୟ ପଏଣ୍ଟ ବିକାଶ, ଭାସ୍‌ମାନ ଜେଟି, ଲକ୍‌ଗେଟ୍‌, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହିତ ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୮୦ କୋଟି ଟଙ୍କା ବିନିଯୋଗ କରାଯିବ।

Share