ଲଣ୍ଡନ୍‌ : ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚେକ୍‌ ଗଣରାଜ୍ୟ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଜିତିଛନ୍ତି। ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଶନିବାର ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସିଧାସଳଖ ସେଟ୍‌ରେ ଟ୍ୟୁନିସିଆର ଶୀର୍ଷ ଖେଳାଳି ଓନ୍ସ ଜାବିଉର୍‌ଙ୍କୁ ପରାସ୍ତ କରିଥିଲେ। ଏଥିସହ ଷଷ୍ଠ ମାନ୍ୟତାପ୍ରାପ୍ତ ଜାବିଉର୍‌ ଲଗାତାର ଦ୍ବିତୀୟ ଥର ପାଇଁ ୱିମ୍ବଲଡନ୍‌ ମହିଳା ଏକକରେ ଉପବିଜେତା ହୋଇଛନ୍ତି। ଏହାଫଳରେ ପ୍ରଥମ ଆରବୀୟ ମହିଳା ଖେଳାଳି ଭାବେ ଏବଂ ପ୍ରଥମ ଆଫ୍ରିକୀୟ ମହିଳା ଭାବେ ଜାବିଉର୍‌ଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିବା ସ୍ବପ୍ନ ଅଧୁରା ରହିଯାଇଛି।
ଅନ୍ୟପକ୍ଷେ ୨୪ ବର୍ଷୀୟା ବାମହାତୀ ଖେଳାଳି ଭନ୍ଦ୍ରୋସୋଭା ପ୍ରଥମ ଅଣସିଡେଡ୍‌ ଖେଳାଳି ଭାବେ ଟ୍ରଫି ହାତେଇଛନ୍ତି। କଚଟି ଅସ୍ତ୍ରୋପଚାର ଯୋଗୁଁ ଭନ୍ଦ୍ରୋସୋଭା ଗତ ସଂସ୍କରଣରେ ଅଂଶଗ୍ରହଣ କରିପାରିନଥିଲେ। ଏଥିପୂର୍ବରୁ ସେମିଫାଇନାଲ୍‌ରେ ଏରିନା ସାବାଲେଙ୍କାଙ୍କୁ ହରାଇ ଜାବିଉର୍‌ ଏବଂ ଏଲିନା ସ୍ବିତଲିନାଙ୍କୁ ପରାସ୍ତ କରି ଭନ୍ଦ୍ରୋସୋଭା ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏହି ପ୍ରତିଯୋଗିତାରେ ରବିବାର ନୋଭାକ ଜୋକୋଭିକ୍‌ ଓ କାର୍ଲୋସ ଆଲକାରାଜଙ୍କ ମଧ୍ୟରେ ପୁରୁଷ ଏକକ ଫାଇନାଲ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜରିଆରେ ଜୋକୋଭିକ୍‌ ୨୪ ତମ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ତଥା ଅଷ୍ଟମ ‌ୱିମ୍ବଲଡନ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ବେଳେ ଆଲ୍‌କାରାଜ ପ୍ରଥମ ଥର ଏହି ପ୍ରତିଯୋଗିତାରେ ବିଜେତା ହେବା ଲକ୍ଷ୍ୟରେ ଓହ୍ଲାଇବେ।
କୁଲହଫ-ସ୍କୁପସ୍କିଙ୍କୁ ଯୁଗଳ ଟ୍ରଫି
ପୁରୁଷ ଯୁଗଳରେ ୱେସଲି କୁଲହଫ୍‌ ଓ ‌ନୀଲ୍‌ ସ୍କୁପ୍‌ସ୍କିଙ୍କ ଯୋଡ଼ି ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ଏହି ନେଦରଲାଣ୍ଡ୍ସ-ବ୍ରିଟିଶ ଯୋଡ଼ି ୬-୪, ୬-୪ ରେ ଆର୍ଜେଣ୍ଟିନାର ହୋରାସିଓ ଜିବାଲସ୍‌ ଓ ସ୍ପେନ୍‌ର ମାର୍ସେଲ୍‌ ଗ୍ରାନୋଲର୍ସଙ୍କୁ ହରାଇଥିଲେ।

Share