Screenshot 2026 02 05 114032 750x430

କଟକ: କେମିତି ହେବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଫେବୃଆରୀ ୭ରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏହା ପୂର୍ବରୁ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓଡିଶା ସରକାର । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ଯ ମହାନଦୀ ସଂପର୍କିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ମଧ୍ୟ ଆଲୋଚନା କରିଛନ୍ତି ।

ମଧ୍ୟସ୍ଥ ଜରିଆରେ ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେପଟେ ମାର୍ଚ୍ଚ ୧୨ରେ ଟ୍ରିବ୍ୟୁନାଲର ଅବଧି ସରୁଥିବାରୁ ଏହାକୁ ଆଉ ୯ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ତେବେ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦର ସମାଧାନ ହେବ କେବେ ଓ କଣ ରହିଛି ପ୍ରମୁଖ ଚ୍ୟାଲେଞ୍ଜ ତାକୁ ନେଇ ଉଠିଛି ପ୍ରଶ୍ନ ।

ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦର ସମାଧାନ ଲାଗି ମହାନଦୀ ଟ୍ରିବ୍ୟୁନାଲ ୨୦୧୮ ମାର୍ଚ୍ଚରେ ଗଠନ ହୋଇଥିଲା। ନିୟମ ଅନୁଯାୟୀ, ଏହି ବିବାଦର ଅନ୍ତ ୩ ବର୍ଷ ମଧ୍ୟରେ ହେବାକଥା। ମାତ୍ର ପ୍ରଥମ ପର୍ଯ୍ୟାୟରେ ଏହା ବଢ଼ି ୨୦୨୩ ମାର୍ଚ୍ଚରେ ଫଇସଲା ହେବାକୁ ଥିଲା। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୧୩ ଯାଏ ବଢ଼ାଯାଇଥିଲା।

 

Share