ଭୁବନେଶ୍ବର: ଓଡ଼ିଶା ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ ପାଇଁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି, ୯ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ସମ୍ପତ୍ତି ସମେତ ୩୪ଟି ଖଣିକୁ ନେଇ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଏହି ୩୪ଟି ଖଣି ନିଲାମ କରାଯିବ। ଲୁହାପଥର, ବକ୍ସାଇଟ୍, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ। ଏହି ଖଣିଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ରହିଛି।
ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ। ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ହେଉଛି କ୍ରିଟିକାଲ୍ ମିନେରାଲ ଖଣି। ୨୦୨୫-୨୬ରେ ଦେଶବ୍ୟାପୀ ୨୨ଟି ଖଣି ନିଲାମ କରାଯାଇଥିଲା।

