ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ବଡ଼ ଖବର । ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ । ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ପାଇଁ ସ୍ଥଗିତ ରଖାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଜାତୀୟ ମେଟ୍ରୋ ରେଳ ନୀତିସହ ଅନୁପାଳନ, ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ଓ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ ପାଇଁ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ପରୀକ୍ଷାଧୀନ ବା ସ୍ଥଗିତ ରଖିଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି ।
ଏଥିସହିତ, ସରକାରଙ୍କ ଦ୍ବାରା “Sustainable Urban Mobility Transition Plan for Odisha” ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ । ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଓ ଉପରୋକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପ ଭବୁନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ପ୍ରସ୍ତାବ ରହିଥିଲା । ଏଥିପାଇଁ ପ୍ରାୟ ୬ହଜାର ୨୫୫ କୋଟି ଚଙ୍କା ବ୍ୟୟ ଅଟକଳ କରାଯାଇଥିଲା ।

