ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମାଛ ଧରିବା ହେଲା କାଳ । ପାଟିରେ ପଶିଗଲା ଜିଅନ୍ତା ମାଛ । ଚାଲିଗଲା ଯୁବକଙ୍କ ଜୀବନ । ମୟୂରଭଂଜ ବାଙ୍ଗିରିପୋଷିରେ ଏଭଳି ଘଟଣା । ତେବେ ଏହି ଘଟଣାରେ ଡାକ୍ତରଙ୍କ ଅବହେଳାକୁ ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଦିଘି ଗାଁର ଅବିନାଶ ବିଜୁଳିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ ଅବିନାଶ ।
ହେଲେ ଅସାବଧାନତା ବଶତଃ ମାଛଟି ତାଙ୍କ ପାଟି ଭିତରକୁ ଗଳି ଯାଇଥିଲା । ବହୁ ସମୟ ଧରି ଶ୍ୱାସନଳୀରେ ଅଟକି ଯାଇଥିଲା । ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

