F 35

ନୂଆଦିଲ୍ଲୀ: ଇରାନ ଖସାଇଲା F-35 ଯୁଦ୍ଧ ବିମାନ । ଆକାଶ ମାର୍ଗରେ ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଥିବା ଇରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ‘ମେହେର ନ୍ୟୁଜ୍ ଏଜେନ୍ସି’ ଅନୁଯାୟୀ ଇରାନ ନିଜର ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ଆମେରିକାର ଅତି ଆଧୁନିକ F-35 ଷ୍ଟିଲଥ୍ ଫାଇଟର ଜେଟକୁ ଖସାଇ ଦେଇଛି ।

ଇରାନ ଦାବି କରିଛି ଯେ, ଏହା ଆମେରିକାର ଦ୍ୱିତୀୟ F-35 ବିମାନ ଯାହାକୁ ସେମାନେ ଟାର୍ଗେଟ କରିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଏକ ବିମାନକୁ ଖସାଇଥିବା ନେଇ ଇରାନ ଦାବି କରିଥିଲା । ଅନ୍ୟପଟେ ଆମେରିକାର ସେନା ଏହି ଦାବିକୁ ଖଣ୍ଡନ କରିଛି । କହିଛି, ଗତ ମାସରେ ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇ ଜରୁରୀକାଳୀନ ଅବତରଣ କରିଥିଲା । କିନ୍ତୁ କୌଣସି ବିମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇନାହିଁ। F-35 ବିମାନକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଷ୍ଟିଲଥ ବିମାନ କୁହାଯାଏ । F-35କୁ ବିଶ୍ୱର ସବୁଠାରୁ ଉନ୍ନତ ଗୁପ୍ତ ଯୁଦ୍ଧ ବିମାନ ଭାବରେ ବିବେଚନା କରାଯାଏ, ଯାହାର ମୂଲ୍ୟ ପ୍ରାୟ ୮୫୦ କୋଟି ଟଙ୍କା ।

ସୂଚନାଯୋଗ୍ୟ,  ଆମେରିକା ଇରାନର ସବୁଠାରୁ ବଡ଼ ବ୍ରିଜକୁ ଧ୍ବଂସ କରିଦେଇଛି ।  ଏହାରି ମଧ୍ୟରେ ଇରାନ୍ ଇସ୍ରାଏଲର ରାଜଧାନୀ ତେଲ-ଅଭିଭରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ଆମେରିକୀୟ ଘାଟି ଉପରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଛି । ଆମେରିକା ଦ୍ବାରା ଇରାନର ବଡ଼ ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୯୫ ଜଣ ଆହତ ହୋଇଥିବା ଜଣାପଡିଛି ।

Share