ନୂଆଦିଲ୍ଲୀ: ସନ୍ ଟିଭିର ଧାରାବାହିକ ‘କୟାଲ’ରେ ଅଭିନୟ ପାଇଁ ଲୋକପ୍ରିୟ ହୋଇପାରିଥିବା ତାମିଲ ଟିଭି ଅଭିନେତ୍ରୀ ସୁବାସିନୀଙ୍କ ଅକାଳ ମୃତ୍ୟୁ। ସୋମବାର ଚେନ୍ନାଇରେ ତାଙ୍କର ମୃତ୍ୟୁ ଘଟିଛି। ସୁବାସିନୀଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନନାହିଁ। ସେପଟେ ତାଙ୍କର ଅକାଳ ବିୟୋଗରେ ତାମିଲ ଟିଭି ଇଣ୍ଡଷ୍ଟ୍ରିକୁ ଝଟକା ଲାଗିଛି। ସୁବାସିନୀଙ୍କ ଫ୍ୟାନ୍ସମାନେ ମଧ୍ୟ ଘଟଣାରେ ସ୍ତବ୍ଧ। ବଡ଼ କଥା ହେଲା କ୍ୟାରିୟର ଆରମ୍ଭର ଅଳ୍ପ ସମୟ ହୋଇଥିବା ବେଳେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଫ୍ୟାନ୍ସ।
ରିପୋର୍ଟ ଅନୁସାରେ, ସୁବାସିନୀଙ୍କ ମୃତଦେହ ଚେନ୍ନାଇର ଅୟପ୍ପନଥଙ୍ଗଲ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଥିବା ବେଳେ, ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁବାସିନୀଙ୍କର ନିଜ ସ୍ବାମୀଙ୍କ ସହ ଏକ ଭିଡିଓ କଲ୍ରେ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ। ତେବେ ଅଧିକାରୀ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି।
ସୁବାସିନୀ ମୁଳତଃ ଶ୍ରୀଲଙ୍କା ବାସିନ୍ଦା। ହେଲେ ତାମିଲ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ସେ ଚେନ୍ନାଇ ଆସିଥିଲେ। ହେଲେ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା। ପ୍ରଥମେ ସେ ଅନେକ ଅଡିସନ ଦେଇଥିଲେ। ଏହା ପରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଆଉ ଦୃଢ଼ ପ୍ରତିଯୋଗିତା ମଧ୍ୟରେ ସେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ସ୍ଥାନ ପକ୍କା କରିଥିଲେ। ଦୃଢ଼ନିଶ୍ଚୟ ଏବଂ ଅଭିନୟ ପ୍ରତି ତାଙ୍କ ଭଲ ପାଇବା ଫଳରେ ଶେଷରେ ତାଙ୍କୁ ସୁଯୋଗ ମିଳିଥିଲା।
କୟାଲରେ ନିଜ ଅଭିନୟ ପାଇଁ ସେ ଘରେ ଘରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ହୋଇପାରିଥିଲେ ଏବଂ ଦର୍ଶକ ଓ ସହଯୋଗୀଙ୍କ ମଧ୍ୟ ପ୍ରଶଂସା ସାଉଁଟିଥିଲେ। ଏମିତିରେ ଅନେକ ତାଙ୍କୁ ଜଣେ ଉଦୀୟମାନ କଳାକାର ଭାବେ ଦେଖୁଥିବା ବେଳେ ଆଗକୁ ତାଙ୍କୁ ଚଳଚ୍ଚିତ୍ରରେ ମଧ୍ୟ ସୁଯୋଗ ମିଳିବା ନେଇ ଆଶା କରାଯାଉଥିଲା।
ସେପଟେ ତାଙ୍କ ମୃତ୍ୟୁରେ ସୋସିଆଲ ମିଡିଆରେ ଶୋକ ଦେଖିବାକୁ ମିଳିଛି। ସୁବାସିନୀଙ୍କ ପ୍ରଶଂସକ ଏବଂ ସାଥୀ କଳାକାର ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ସୁବାସିନୀଙ୍କ ଅଭିନୟର ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି।

