ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ପୁଡ଼ୁଚେରୀବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ପୁଡ଼ୁଚେରୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ। ଲସ୍ପେଟ୍ରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ପୁଡ଼ୁଚେରୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ରାହୁଲ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନର କେନ୍ଦ୍ରଶାସିତ ସରକାର ଲୋକଙ୍କର ଇଚ୍ଛାକୁ ପ୍ରତିଫଳିତ କରୁନାହିଁ। ସ୍ଥାନୀୟ ନେତୃବୃନ୍ଦଙ୍କୁ ଅଣଦେଖା କରାଯାଉଛି ଏବଂ ସରକାର ଦିଲ୍ଲୀରୁ ରିମୋଟ୍ କଣ୍ଟ୍ରୋଲରେ ଚାଲିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ନିଯୁକ୍ତି ସୁଦୃଢ଼ କରିବା ପାଇଁ ଏବଂ ପରିବାରମାନଙ୍କରେ ଆର୍ଥିକ ଚାପ ଲାଘବ କରିବା ପାଇଁ କଂଗ୍ରେସ ଏହାର ଇସ୍ତାହାରରେ ବିଭିନ୍ନ ପଦକ୍ଷେପ ଘୋଷଣା କରିଛି।
ରାଜ୍ୟର ବେକାର ଯୁବକଙ୍କୁ ଦଳ ମାସିକ ୨ ହଜାର ଟଙ୍କାର ଆର୍ଥିକ ସହାୟତା ଦେବ ଏବଂ ଏଥିସହ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ୩୦ ହଜାର ନୂଆ ଚାକିରି ସୃଷ୍ଟି ପଇଁ ଘୋଷଣା କରିଛି। ମହିଳାଙ୍କ କଲ୍ୟାଣ ପାଇଁ ଦଳ ପୁଡ଼ୁଚେରୀରେ ମାଗଣା ବସ୍ ଯାତ୍ରାର ପ୍ରତିଶ୍ରୁତି ଦେଇଛି। ଦଳ ମଧ୍ୟ ସରକାରୀ ଚାକିରି ପାଇଁ ବୟସ ସୀମା ୪୦ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ପ୍ରତିଶ୍ରୁତି ଦେଇଛି। କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ପରିବାରକୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଦଳ ୨୦ ଲକ୍ଷ ଟଙ୍କାର ବୀମା ସୁବିଧା ଦେବ ବୋଲି ଘୋଷଣା କରିଛି। ବିଜେପିକୁ ଟାର୍ଗେଟ୍ କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ଏହା ପୁଡ଼ୁଚେରୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାରେ ବିଫଳ ହୋଇଛି। ସ୍ଥାନୀୟ ନେତୃବୃନ୍ଦଙ୍କୁ ବାଦ୍ ଦେଇ ପୁଡ଼ୁଚେରୀ ଏବେ ଦିଲ୍ଲୀରୁ ରିମୋଟ୍ କଣ୍ଟ୍ରୋଲରେ ଚାଲୁଛି ବୋଲି ସେ କହିଛନ୍ତି।
