11

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ୧୦ହଜାର ଉଡ଼ାଣ ବାତିଲ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଅସଙ୍ଗବା ଚୁବା କହିଛନ୍ତି। ପ୍ରତିଦିନ ମଧ୍ୟପ୍ରାଚ୍ୟକୁ ଭାରତରୁ ୩୦୦-୩୫୦ ବିମାନ ଯାଉଥିଲା। ଯୁଦ୍ଧ ପରେ ସେହି ସଂଖ୍ୟା ୮୦-୯୦କୁ ଖସିଆସିଛି। ଗତ ଫେବ୍ରୁଆରି ୨୮ରେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରେ ଏହି ଅଞ୍ଚଳରେ ଥିବା ଦେଶଗୁଡ଼ିକ ଆକାଶ ମାର୍ଗରେ କଟକଣା ଲଗାଇଥିଲେ।
ବିଶେଷ କରି ଇସ୍ରାଏଲ, ଜୋର୍ଡାନ, ଲେବାନନ, କୁଏତ, କତର, ବାହାରିନ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)କୁ ଉଡ଼ାଣ ପ୍ରଭାବିତ ହୋଇଥିଲା। ଭାରତରୁ ୟୁରୋପ ଓ ଉତ୍ତର ଆମେରିକାକୁ ଯାତ୍ରା କରୁଥିବା ବିମାନଗୁଡ଼ିକ ଏହି ବାଟ ଦେଇ ଯାଉଥିଲା। କିନ୍ତୁ ଆକାଶ ମାର୍ଗରେ କଟକଣା ଲାଗିବା ପରେ ବିମାନଗୁଡ଼ିକ ଲମ୍ବା ଦୂର ଯାତ୍ରା କରି ସେଠାରୁ ପହଞ୍ଚୁଛି ଯାହା କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ବୃଦ୍ଧିର କାରଣ ହୋଇଛି। ସେଥିପାଇଁ ଭାରତୀୟ ଏୟାରଲାଇନ୍‌ଗୁଡ଼ିକ ମଧ୍ୟପ୍ରାଚ୍ୟକୁ ଯାଉଥିବା ଅଧିକାଂଶ ବିମାନର ଉଡ଼ାଣ ବାତିଲ କରିଛନ୍ତି।
ଯୁଦ୍ଧ ସଙ୍କଟକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ପାଇଲଟ୍‌ଙ୍କ ସମ୍ପର୍କିତ ନିୟମକୁ ସାମୟିକ ଭାବେ କୋହଳ କରାଯାଇଛି। ତେବେ ଏହି ସୁବିଧା କେବଳ ଅନ୍ତର୍ଜାତୀୟ ରୁଟ୍‌ରେ ଲମ୍ବା ଦୂର ଯାତ୍ରା କରୁଥିବା ବିମାନ ଉପରେ ଲାଗୁ ହେବ। ବିମାନ ଚଳାଚଳ ପାଇଁ ପାଇଲଟ୍‌ଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ନିୟମରେ କୋହଳ କରାଯାଇଥିବା ଡିଜିସିଏ ପକ୍ଷରୁ କୁହାଯାଇଛି। ଡିଜିସିଏ ପକ୍ଷରୁ ପାଇଲଟ୍‌ଙ୍କ କାର୍ଯ୍ୟ କରିବା ସମୟକୁ ବୃଦ୍ଧି କରାଯାଇଛି, ଯାହା ଫଳରେ ସେମାନେ ଲମ୍ବା ଦୂର ଯାତ୍ରା କରୁଥିବା ବିମାନରେ କାମ କରିପାରିବେ। ଏହି ନିୟମକୁ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ କୋହଳ କରାଯାଇଛି। ଉକ୍ତ ସମୟ ସୀମା ଶେଷ ହେବା ପରେ ସରକାର ପୁଣି ଥରେ ସ୍ଥିତିର ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିବେ ବୋଲି ଶ୍ରୀ ଚୌବା କହିଛନ୍ତି।
ଏୟାର ଇଣ୍ଡିଆ ପକ୍ଷରୁ ଇସ୍ରାଏଲକୁ ଉଡ଼ାଣ ବାତିଲ କରାଯିବା ପରେ ସେଠାରେ ରହୁଥିବା ପାଖାପାଖି ୪୦ ହଜାର ଭାରତୀୟ ସ୍ବଦେଶ ଫେରିବା ନେଇ ଅନିଶ୍ଚିତତାରେ ରହିଛନ୍ତି। ବ୍ୟକ୍ତିଗତ କିମ୍ବା ସେପାଦାର କାର୍ଯ୍ୟରେ ଭାରତ ଆସିବାକୁ ଚାହୁଥିବା ଲୋକମାନଙ୍କୁ ସ୍ଥଳପଥ ଦେଇ ଜୋର୍ଡାନ କିମ୍ବା ଇଜିପ୍ଟ ଯିବାକୁ ପଡ଼ୁଛି। ସେଠାରୁ ଭାରତୀୟ ବିମାନରେ ଆସିବାକୁ ପଡ଼ୁଛି। ଆସନ୍ତା ମେ’ ୩୧ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏହାର ଇସ୍ରାଏଲ ବିମାନ ଉଡ଼ାଣ ବାତିଲ କରିଛି।

Share