ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜେଲରେ ଦୀର୍ଘ ଦିନ ଧରି ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ଜାମିନ ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାକୁ ଜାମିନ ଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ କଥିତ ଅଭିଯୁକ୍ତ ସୁକେଶର ଅଧିକାରୀ ସଂପର୍କରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ଧାର୍ଯ୍ୟ ଅବଧି ଠାରୁ ଅଧିକ ସମୟ ଜେଲରେ ରହିବା ବ୍ୟକ୍ତିଗତ ସ୍ବାଧୀନତାର ଉଲ୍ଲଂଘନ । ଏପରିକି ମାମଲାର ତ୍ବରିତ ଶୁଣାଣି ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାର ବୋଲି କୋର୍ଟ କହିଛନ୍ତି ।
ସୁକେଶ ଚନ୍ଦ୍ରଶେଖରକୁ କୋର୍ଟ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ଦେଇଛନ୍ତି । ଏହା ସହ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଜେଲ୍ରୁ ବାହାରିବା ପରେ ସାକ୍ଷୀକୁ ପ୍ରଭାବିତ କରିପାରିବ ନାହିଁ ସୁକେଶ ଚନ୍ଦ୍ରଶେଖର, ପୋଲିସକୁ ନିଜର ଠିକଣା ଦେବ, ପାସପୋର୍ଟ ସରେଣ୍ଡର କରିବ ଏବଂ ଏପରିକି ଦେଶ ଛାଡ଼ି ଯାଇପାରିବ ନାହିଁ ।
ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗାନେ ତାଙ୍କ ରାୟରେ କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା ସମ୍ବିଧାନର ଏକ ମୌଳିକ ନୀତି ଏବଂ ଅର୍ଥନୈତିକ ଅପରାଧ ମାମଲାରେ ମଧ୍ୟ ଏହାକୁ ଅଯଥାରେ ପ୍ରଭାବିତ କରାଯାଇ ପାରିବ ନାହିଁ । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନର ଉଦ୍ଦେଶ୍ୟ ନ୍ୟାୟ ସୁନିଶ୍ଚିତ କରିବା, ଅଭିଯୁକ୍ତଙ୍କୁ ଅଯଥା ଦୀର୍ଘ ସମୟ ପାଇଁ ହାଜତରେ ରଖିବା ନୁହେଁ।
କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଅପରାଧଗୁଡ଼ିକ ଗୁରୁତର ଥିଲେ ମଧ୍ୟ ଏହାକୁ ଜାମିନ ଅଧିକାରକୁ ଅଯଥାରେ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ବିଚାରପତି କହିଛନ୍ତି ଯେ, ଏକାଧିକ ମାମଲା ରହିଥିବା ବେଳେ କେବଳ ଗୋଟିଏ ମାମଲାରେ ସୁକେଶକୁ ଜେଲ୍ରେ ରଖିବା ନ୍ୟାୟସଂଗତ ନୁହେଁ । ସେ ସବୁ ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିରହିଛି । ଶୁଣାଣି ବିନା ଅଭିଯୁକ୍ତକୁ ଦୀର୍ଘ ସମୟ ଧରି ଜେଲ୍ରେ ରଖାଯାଇଛି । କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ଦୀର୍ଘ ଦିନ ହାଜତରେ ବିତାଇ ସାରିଛନ୍ତି ଏବଂ ବିଚାର ବିନା ଆହୁରି ଅଟକ ରଖିବା ଯଥାର୍ଥ ହେବ ନାହିଁ।
କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସୁକେଶ ଚନ୍ଦ୍ରଶେଖର ବିରୋଧରେ ମୋଟ ୩୧ଟି ମାମଲା ରହିଛି ଏବଂ ଏଥିମଧ୍ୟରୁ ୨୬ଟି ମାମଲାରେ ଜାମିନ ମିଳିସାରିଛି। ଏହା ସତ୍ତ୍ୱେ, ସେ ଅନ୍ୟ ମାମଲାରେ ଜେଲରେ ଅଛି। ଏବେ କୋର୍ଟଙ୍କ ଆଶ୍ୱସ୍ତି ସତ୍ତ୍ୱେ, ସୁକେଶ ଚନ୍ଦ୍ରଶେଖର ଅନ୍ୟ ବିଚାରାଧୀନ ମାମଲା ଯୋଗୁଁ ଜେଲରେ ରହିବାକୁ ବାଧ୍ୟ ହେବ।
୨୦୦ କୋଟି ଟଙ୍କା ହଡ଼ପ ମାମଲାରେ ଫସିଛି ସୁକେଶ । ସୁକେଶ ଚନ୍ଦ୍ରଶେଖର, ତା ପତ୍ନୀ ଲୀନା ମାରିଆ ପଲ୍ ଏବଂ ଅନ୍ୟ କେତେ ଜଣଙ୍କ ବିରୁଦ୍ଧରେ ମଧ୍ୟ ସଂଗଠିତ ଅପରାଧ (MCOCA) ଆଇନ ଅନୁଯାୟୀ ମାମଲା ରହିଛି । ପୋଲିସର କହିବା ଅନୁଯାୟୀ, ସୁକେଶ AIADMK ନେତା TTV ଦିନାକରଣଙ୍କ ପାଇଁ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ବିରୁଦ୍ଧରେ ନିର୍ବାଚନ ପ୍ରତୀକ ପାଇବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI)ର ଜଣେ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିବାର ଅଭିଯୋଗ ମଧ୍ୟ ରହିଛି ।
ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲା ପାଇଁ ସୁକେଶ ଯେତିକି ଚର୍ଚ୍ଚିତ, ପ୍ରେମ ପାଇଁ ମଧ୍ୟ ତାକୁ ନେଇ ଆଲୋଚନା ଅଧିକ । ବଲିଉଡ ଅଭିନେତ୍ରୀ ସିଂହଳୀ ସୁନ୍ଦରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ନିଜର ପ୍ରେମିକା ବୋଲି ଦାବି କରିଆସିଛି ସୁକେଶ । ଏପରିକି ଜେଲରେୁ ଥାଇ ଜ୍ୟାକଲିନଙ୍କ ପାଇଁ ଦାମୀ ଉପହାର ପଠାଏ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ।
