ନୂଆଦିଲ୍ଲୀ, ୦୭/୦୪ : ପୁଣି ଥରେ ଚର୍ଚ୍ଚାରେ କେରଳମର ପ୍ରସିଦ୍ଧ ସବରୀମାଳା ମନ୍ଦିର । ଦୀର୍ଘ ବର୍ଷ ଧରି ଏଠାରେ ମହିଳାଙ୍କ ପ୍ରବେଶ ନେଇ ଚାଲିଥିବା ବିବାଦ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଁଚି ଯାଇଛି । ସୁପ୍ରିମ କୋର୍ଟ ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି । ଏହାସହ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୯ଜଣ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି । ଏହି ଖଣ୍ଡପୀଠକୁ ନିଜେ ପ୍ରଧାନ ବିଚାରପତି ଅଧ୍ୟକ୍ଷତା କରିବେ ।
ସବରୀମାଳା ମନ୍ଦିରରେ ୧୦ରୁ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଏଠାରେ ପୂଜା ପାଉଥିବା ଭଗବାନ ଆୟପ୍ପାଙ୍କୁ ନୈଷ୍ଟିକ ବ୍ରହ୍ମଚାରୀ ବୋଲି ଭକ୍ତମାନେ ଭାବିଥାନ୍ତି । ତେଣୁ ଏଠାରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି । ପୂର୍ବରୁ ୨୦୧୮ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଏହି କଟକଣାକୁ କୋର୍ଟ ଅସାମ୍ବିଧାନିକ କହିଥିଲେ । ମହିଳାଙ୍କ ସହ ଅନ୍ୟାୟ ବୋଲି କୋର୍ଟ ପ୍ରକାଶ କରିଥିଲେ । ଯାହା ସମ୍ବିଧାନର ଧାରା ୧୪ ଏବଂ ୨୫କୁ ଉଲ୍ଲଙ୍ଘନ କରୁଛି । ତେବେ କୋର୍ଟଙ୍କ ନିଷ୍ପତ୍ତିକୁ ଅନେକ ସଙ୍ଗଠନ ବିରୋଧ କରିଥିଲେ । କୋର୍ଟରେ ଅନେକ ପୁନଃବିଚାର ଆବେଦନ ହୋଇଥିଲା ।
ଏବେ ମାମଲାର ପୁଣି ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ ବିଭି ନାଗରତ୍ନା କହିଛନ୍ତି ଯେ, ସବରୀମାଳା ପ୍ରସଙ୍ଗରେ ଧାରା୧୭କିପରି ଲାଗୁ ହୋଇପାରେ ତାହା ସେ ବୁଝିପାରୁ ନାହାଁନ୍ତି । ଜଣେ ମହିଳା ଭାବେ ସେ ନିଜେ ମତ ପ୍ରକାଶ କରିଥିଲେ । ଏହାସହ କହିଛନ୍ତି ଯେ, ମାସକୁ ତିନି ଦିନ ପାଇଁ ଅଛୁଆଁ ଭାବେ ବିବେଚନା କରାଯିବା ଏବଂ ଚତୁର୍ଥ ଦିନରେ ସବୁ ଠିକ୍ ହୋଇଯିବା କେବେହେଲେ ପ୍ରଥା ନୁହେଁ ।
ଏହାସହ ଜଷ୍ଟିସ ନାଗରତ୍ନା, ଜଷ୍ଟିସ ଏସ୍ ବାଗଚୀ ଏବଂ ଜଷ୍ଟିସ ଏମଏମ୍ ସୁନ୍ଦରେଶ ସମ୍ବିଧାନର ଅନୁଚ୍ଛେଦ ୨୫ଏବଂ ୨୬ର ବାଖ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ଅନୁଚ୍ଛେଦ ୨୫(୨) ଆଧାରରେ ତିଆରି ହୋଇଥିବା ନିୟମ ଅନୁଚ୍ଛେଦ ୨୫(୧)ର ଅଧିକାରକୁ ସୀମିତ କରିପାରେ ବୋଲି ବିଚାରପତି ଆଶଙ୍କା ପ୍ରକାଶ କରିଛନ୍ତି ।
କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ, ସେ କୌଣସି ପକ୍ଷର ସମର୍ଥନ କରୁ ନାହାଁନ୍ତି । କେବଳ ଆଇନ ବାବଦରେ କହୁଛନ୍ତି । ପୁନଃବିଚାର ଆବେଦନରେ କଟକଣା ମହିଳା ବିରୋଧୀ ନୁହେଁ ବରଂ ଭଗବାନଙ୍କ ଧାର୍ମିକ ପରମ୍ପରାର ଅଂଶ ବୋଲି ଉଲ୍ଲେଖ ରହିଛି । କୌଣସି ଧର୍ମରପ୍ରଥା ଉପରେ ଅଯଥା ହସ୍ତକ୍ଷେପ କରାନଯିବା ନେଇ ସମ୍ବିଧାନରେ ଉଲ୍ଲେଖ ରହିଛି । ହିନ୍ଦୁ ଧର୍ମ କେବଳ ଏକ ଧର୍ମ ନୁହେଁ । ଏହା ଜୀବନ ବଞ୍ଚିବାର ଏକ ଶୈଳୀ ଅଟେ । କେବଳ ହିନ୍ଦୁ ନୁହେଁ ଖ୍ରୀଷ୍ଟିଆନ ଏବଂ ଇସଲାମରେ ଅନେକ ସମ୍ପ୍ରଦାୟ ରହିଛି । ଧର୍ମକୁ ଏକ ବ୍ୟାପକ ଶ୍ରେଣୀ ଭାବେ ଦେଖିହେବ ନାହିଁ । ଏଥିରେ ଥିବା ସମ୍ପ୍ରଦାୟ ଏବଂ ଉପ ସମ୍ପ୍ରଦାୟକୁ ବୁଝିବା ଦରକାର ବୋଲି ସଲିସିଟର ଜେନେରାଲ ପ୍ରକାଶ କରିଛନ୍ତି ।
