ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରାମକୁ ଇସ୍ରାଏଲ ସମର୍ଥନ ଦେଇଛି । ଯୁଦ୍ଧ ବିରତି ପରେ ଇସ୍ରାଏଲର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଇରାନ ସହିତ ଯୁଦ୍ଧ ବିରାମରେ ଆମେରିକାର ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି । ଏହାସହିତ ନିଜର ସର୍ତ୍ତକୁ ମଧ୍ୟ ରଖିଛି । ଲେବାନନ ଯୁଦ୍ଧକୁ ଏଥିରେ ସାମିଲ କରାଯାଇପାରିବ ନାହିଁ ବୋଲି ଇସ୍ରାଏଲ କହିଛି ।
ଦୁଇ ଦେଶ ପକ୍ଷରୁ ଯୁଦ୍ଧ ବିରାମ ଘୋଷଣା ହେବା ପରେ ବୁଧବାର ଇସ୍ରାଏଲ୍ କହିଛି ଯେ, ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମାରେ “ଲେବାନନକୁ ସାମିଲ କରାଯାଇ ନାହିଁ।” ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଲେବାନନର ଇରାନ ସମର୍ଥିତ ଗୋଷ୍ଠୀ ହିଜବୋଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ତେଣୁ ହିଜବୋଲ୍ଲା ମଧ୍ୟରେ ଯୁଦ୍ଧ ଭିତରକୁ ଟାଣି ହୋଇ ଆସିଥିଲା । ତେଣୁ ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ତେହରାନ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଧମକ ଦେବାର କିଛି ଘଣ୍ଟା ପରେ ପଛଘୁଞ୍ଚା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶେଷରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ ରଖିବାକୁ ରାଜି ହୋଇଛନ୍ତି । କୂଟନୀତି ମାଧ୍ୟମରେ ଆଲୋଚନା କରି ଇରାନ ସହ ଲାଗିଥିବା ୪୦ ଦିନର ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଇରାନ ମଧ୍ୟ ଯୁଦ୍ଧ ବିରାମରେ ରାଜି ହୋଇଛି ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିବାକୁ ସର୍ତ୍ତ ରଖିଛି । ସିଜଫାୟର ଘୋଷଣା କରିବା ସହିତ ଟ୍ରମ୍ପ କହିଛନ୍ତି ଷ୍ଟ୍ରେଟ୍ ଅଫ ହର୍ମୁଜ ଖୋଲିବାକୁ ଇରାନ ୧୦ ସୂତ୍ରୀ ଶାନ୍ତି ପ୍ରସ୍ତାବ ରଖିଛି । ଏହାକୁ ସ୍ୱୀକାର କରି ଆମେରିକା ଇରାନର ବ୍ରିଜ, ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବ ନାହିଁ ।

