ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମିର୍ଜାପୁରର ଡ୍ରମଣ୍ଡଗଞ୍ଜ ଘାଟିରେ ଭୟଙ୍କର ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାନୁଯାୟୀ, ଏକ ଟ୍ରକର ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଅଘଟଣ ଘଟିଥିଲା। ନିୟନ୍ତ୍ରଣ ହରାଇ ଟ୍ରକଟି ପ୍ରଥମେ ଏକ କାର୍ କୁ ଧକ୍କା ଦେଇଥିଲା ଏବଂ ପରେ ଏକ ବୋଲେରୋ ଗାଡ଼ିକୁ ସାମ୍ନାରୁ ପିଟିଥିଲା । ଧକ୍କା ଏତେ ଜୋର ଥିଲା ଯେ ବୋଲେରୋ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଗାଡ଼ି ଭିତରେ ଥିବା ଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ, ଫଳରେ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ କାର୍ ଚାଳକ, ଟ୍ରକ୍ ଚାଳକ ଏବଂ ବୋଲେରୋରେ ଥିବା ଶିଶୁ ଓ ମହିଳା ସାମିଲ ଅଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି । ପରିବାର ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ପାଇଁ ଆରୋଗ୍ୟ କାମନା କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ, ଆହତମାନଙ୍କୁ ୫୦,୦୦୦ ଟଙ୍କା ମିଳିବ ।

