ବ୍ରହ୍ମପୁର : କୁଖ୍ୟାତ ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ। ପୋଲିସର ସ୍ପେସାଲ ଡ୍ରାଇଭ ଜାରି । ଦୁର୍ଦ୍ଦାନ୍ତ ଅପରାଧୀ ବଳିଆ ଧରା ନ ଦେଲେ କିଛି ବି ଘଟିପାରେ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ । ଅପରାଧିକ ଦୁନିଆରୁ ଓହରି ଯିବାକୁ ଅପରାଧୀ ମାନଙ୍କୁ ପ୍ରଥମେ ବାର୍ତ୍ତା, ପରେ ଚେତାବନୀ । ଆଉ ନ ମାନିଲେ ଶେଷରେ ପୋଲିସ ଭାଷାରେ ବୁଝାଇ ଦିଆଯାଉଛି l ଅପରାଧୀ ମାନଙ୍କୁ ଦମନ କରିବା ପାଇଁ ଅପରାଧ ନିୟନ୍ତ୍ରଣ ବୈଠକରେ ସବୁ ଥାନା ଅଧିକାରୀ ମାନଙ୍କୁ ପୋଲିସର ରଣନୀତି ସମ୍ପର୍କରେ ବୁଝାଇ ଦେଇଛନ୍ତି ବ୍ରହ୍ମପୁର ଏସପି । ଏହା ପରେ ପୋଲିସ ବାବୁ ମାନେ ସକ୍ରିୟ ହୋଇଉଠିଛନ୍ତି l ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପ୍ରତି ସନ୍ଧ୍ୟାରେ ପୋଲିସ ସହରର ଗଳି କନ୍ଦିରେ ଫ୍ଲାଗ ମାର୍ଚ୍ଚ ଜାରି ରଖିଛି l ଅପରାଧିକ ଦୁନିଆରେ ପାଦ ଥାପିଥିବା ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ି ଚାଲିଯିବାକୁ କୁହାଯାଇଛି l ଯେଉଁ ମାନଙ୍କ ନାମରେ ସଂଗୀନ ମାମଲା ରହିଛି ଆଉ ପୋଲିସ ଖୋଜୁଛି ସେମାନେ ୩୬ ଘଣ୍ଟା ଭିତରେ ଥାନା କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି l
ଅନ୍ୟପଟେ ଯେଉଁମାନେ ଜେଲରୁ ବେଲରେ ଆସିଛନ୍ତି ସେମାନଙ୍କୁ ପ୍ରତି ୨୪ ଘଣ୍ଟାରେ ଥାନାରେ ହାଜିରା ପକାଇବାକୁ କୁହାଯାଇଛି l ସେପଟେ ସ୍ପେସାଲ ଡ୍ରାଇଭ ମାଧ୍ୟମରେ ପ୍ରତି ଥାନାରୁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି l ଅମ୍ବିକା ନଗର ଆକ୍ରମଣ ଘଟଣାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ବଳିଆ ଧରା ନଦେଲେ ପୋଲିସ ଭାଷାରେ ତାକୁ ଲାଇନକୁ ଆଣିବା ପାଇଁ ପୋଲିସର ସ୍ପେଶାଲ ଟିମ ପ୍ରସ୍ତୁତ ହେଉଛି l

