ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବିସଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲି ଭର୍ତ୍ତି ଟ୍ରକ ୫ ଜଣଙ୍କୁ ଚାପି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୫ ଜଣ ଗୁରୁତର ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ପୋଲିସ ଅଧିକ୍ଷକ ଡାକ୍ତର ଶିବରାଜ କହିଛନ୍ତି, ବୁଧବାର ସନ୍ଧ୍ୟା ୪.୩୦ ସମୟରେ ବିସଣ୍ଡା ପୂର୍ବରୁ ଲୋଲି ଶିବ ଗାଁ ନିକଟରେ ବାଲି ଭର୍ତ୍ତି ଟ୍ରକ ଅବସରପ୍ରାପ୍ତ ଶିକ୍ଷକ ରାମେଶ୍ବରଙ୍କୁ ଧକ୍କା ଦେଇଥିଲା । ଏହାପରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହାପରେ କିଛି ଲୋକ ବାଇକ୍ ଯୋଗେ ଫେରାର ଟ୍ରକର ପିଛା କରିଥିଲେ । ଆଉ ନାଥୁ ନିକଟରେ ଇ-ରିକ୍ସାକୁ ଧକ୍କା ଦେବା ପରେ ଟ୍ରକ ଓଲଟି ପଡିଥିଲା । ଏହି ଘଟଣାରେ ୪ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି ।
ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିଲା । ପୋଲିସ ସମସ୍ତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରୁଛି ।
ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ବ୍ୟକ୍ତ କରିଛନ୍ତି । ଅଧିକାରୀଙ୍କୁ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

