ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା କୌଣସି ବି ପରିସ୍ଥିତିରେ ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣ କରିବାକୁ ଦେବ ନାହିଁ ଏବଂ ଯଦି ଆଲୋଚନା ବିଫଳ ହୁଏ, ତେବେ ଆମେରିକା ପାଖରେ ସାମରିକ ଅଭିଯାନ ପୁନର୍ବାର ଆରମ୍ଭ କରିବାର ସମସ୍ତ ବିକଳ୍ପ ଖୋଲା ରହିଛି। ଚୁକ୍ତିନାମାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ସୂଚନା ଦେଇଥିଲେ ଯେ ମଧ୍ୟପ୍ରାଚ୍ୟର ସହଯୋଗୀ ଦେଶ ସାଉଦି ଆରବ, ୟୁଏଇ ଏବଂ କତରର ନେତାମାନଙ୍କ ସହ ଶାନ୍ତି ଚୁକ୍ତି ସମ୍ପର୍କରେ ତାଙ୍କର ସଫଳ ଆଲୋଚନା ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଚୁକ୍ତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ସେ କହିଛନ୍ତି, ହର୍ମୁଜ ପ୍ରଣାଳୀ ସମସ୍ତଙ୍କ ପାଇଁ ଖୋଲା ରହିବା ଏକ ପ୍ରମୁଖ ସର୍ତ୍ତ ଏବଂ ଯେକୌଣସି ଚୁକ୍ତିନାମା ହେଲେ ମଧ୍ୟ ସେଥିରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ବି କଠୋର ପ୍ରତିବନ୍ଧକ ରହିବା ନିଶ୍ଚିତ। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଘଲିବାଫ୍‌ କହିଛନ୍ତି ଯେ ଆମେରିକା ପକ୍ଷରୁ ପ୍ରସ୍ତୁତ ଶାନ୍ତି ଚୁକ୍ତିନାମାର ସମସ୍ତ ବିଷୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଚୂଡ଼ାନ୍ତ ହୋଇନାହିଁ ଏବଂ ଇରାନ ନିଜର ଜାତୀୟ ସାର୍ବଭୌମତ୍ୱ ତଥା ହର୍ମୁଜ ପ୍ରଣାଳୀର ସୁରକ୍ଷା ଅଧିକାର ସହ କୌଣସି ବୁଝାମଣା କରିବ ନାହିଁ। ଏହି ସମ୍ବେଦନଶୀଳ ସ୍ଥିତିରେ ଏବେ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରୟାସ ଉପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି