Air india

ନୂଆଦିଲ୍ଲୀ : ପୁଣି ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ହାର୍ଟ ଆଟାକ୍ ଥିବା ସୂଚନା ମିଳିଛି । ପାଇଲଟ ଏହି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ତୁରନ୍ତ ଟ୍ରାଫିକ୍ ନିୟନ୍ତ୍ରଣ(ATC) ଙ୍କୁ ଜଣାଇଥିଲେ । ଏହା ପରେ ATC ବିମାନକୁ ଲକ୍ଷ୍ନୌ ଏୟାରପୋର୍ଟକୁ ପଠାଇଥିଲା ।

ସୂଚନାନୁଯାୟୀ, ବିମାନରେ ୧୨୮ ଯାତ୍ରୀ ଥିଲେ । ଗତକାଲି ସନ୍ଧ୍ୟା ୫ଟା ୨୫ ମିନିଟ୍ ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ AI-2418 ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ମଝି ଆକାଶରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଫଳରେ ATC ଏକ ମେଡିକାଲ ଏମରଜେନ୍ସି ଘୋଷଣା କରି ବିମାନକୁ ଲକ୍ଷ୍ନୌ ଏୟାରପୋର୍ଟକୁ ପଠାଇଥିଲା । ଏୟାରପୋର୍ଟରେ ପୂର୍ବରୁ ଡାକ୍ତରୀ ଟିମ୍ ଉପସ୍ଥିତ ଥିଲେ । ସେଠାରେ ବିମାନ ଲ୍ୟାଣ୍ଡିଂ କରିବା ମାତ୍ରେ ଡାକ୍ତରୀ ଟିମ୍ ବୃଦ୍ଧ ବ୍ୟକ୍ତିଙ୍କ ଚିକିତ୍ସା କରି ତାଙ୍କ ଜୀବନକୁ ବଞ୍ଚାଇଥିଲେ ।

ସୂଚନାଯୋଗ୍ୟ, ଖରାପ ପାଗ ମଧ୍ୟ ବିମାନ ଚଳାଚଳକୁ ପ୍ରଭାବିତ କରୁଛି । ଖରାପ ପାଗ ଯୋଗୁଁ ଗତକାଲି ହାଇଦ୍ରାବାଦରୁ ଜଗଦଲପୁର ଯିବାକୁ ଥିବା ଇଣ୍ଡିଗୋ ବିମାନ 6E-7104କୁ ଅଧା ରାସ୍ତାରେ ହାଇଦ୍ରାବାଦ ଫେରିବାକୁ ପଡିଥିଲା । ସୌଭାଗ୍ୟବଶତଃ, ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ​​ଏବଂ ସମସ୍ତ ୭୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

Share