ହିନ୍ଦୋଳ : ଏକ ହାତୀକୁ ମାରି ଫାର୍ମ ହାଉସ୍ରେ ପୋତି ଦିଆଯାଇଥିବା ନେଇ ଅଭିଯୋଗ ମିଳିବା ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବନବିଭାଗର ସ୍ବତନ୍ତ୍ର ଟିମ୍ ଢେଙ୍କାନାଳଜିଲ୍ଲା ହିନ୍ଦୋଳ ସହରରେ ଥିବା ଏହି ଫାର୍ମ ହାଉସ୍କୁ ଯାଇ ହାତୀ ପୋତା ଯାଇଥିବା ସ୍ଥାନ ଚିହ୍ନଟ କରିଛନ୍ତି। ସୋମବାର ଏହି ସ୍ଥାନକୁ ଖୋଳାଯିବ। ଏପଟେ ଫାର୍ମ ହାଉସ୍ର ମାଲିକଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁସାରେ, ହିନ୍ଦୋଳ ଏନ୍ଏସିର ୧୪ନମ୍ବର ୱାର୍ଡର ଚରଣପୁରଠାରେ କୁବେର ରାଜଙ୍କ ଚାରି ଏକର ଜମିରେ ଫାର୍ମ ହାଉସ୍ ରହିଛି। ଏହି ଫାର୍ମ ହାଉସ୍ରେ ଏକ ହାତୀକୁ ପୋତି ଦିଆଯାଇଥିବା ନେଇ ବନ ବିଭାଗ ଖବର ପାଇବା ପରେ ଆଜି (ରବିବାର) ଚଢ଼ାଉ କରିଥିଲା। ଫାର୍ମ ହାଉସ୍ ମାଲିକ କୁବେର ରାଜ, କୁନୁ ଭୂତିଆ ଓ ରାଜୁ ଚୌଧୁରୀକୁ ହିନ୍ଦୋଳ ବନବିଭାଗ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରିଥିଲା।
ହିନ୍ଦୋଳ ରେଞ୍ଜ ଅଧିକାରୀ ତ୍ରିଲୋଚନ ଦେହୁରୀ କହିଛନ୍ତି, ଫାର୍ମ ହାଉସ୍ରେ ହାତୀ ପୋତାଯାଇଥିବା ସ୍ଥାନକୁ ଚିହ୍ନଟ କରିଛୁ। ଫାର୍ମ ହାଉସ୍ ମାଲିକ ହାତୀକୁ ପୋତିଥିବା ସ୍ବୀକାର କରିବା ସହ ସେହି ସ୍ଥାନ ଦେଖାଇଥିଲେ। ସନ୍ଧ୍ୟା ହୋଇଯିବାରୁ ଖୋଳା ଯାଇନି। ସେଠାରେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଜଗି ରହିବା ସହ ସମଗ୍ର ଫାର୍ମହାଉସ୍କୁ ସିଲ୍ କରିଛନ୍ତି। ସୋମବାର ସକାଳେ ଜେସିବିରେ ଖୋଳାଯାଇ ହାତୀର ମୃତଦେହ ବାହାର କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।
ଏହି ଫାର୍ମ ହାଉସ୍ ଚତୁଃପାର୍ଶ୍ଵରେ ସୋଲାର୍ ଲାଇଟ୍ ବ୍ୟବସ୍ଥା କରାଯିବା ସହ ସୌରବାଡ଼ ରହିଛି। ସେହି ସୋଲାର୍ କରେଣ୍ଟ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା କିଛି ଲୋକ କହୁଛନ୍ତି। ହେଲେ, ବନ ବିଭାଗକୁ ନ ଜଣାଇ ତରବରିଆ ଭାବେ ପୋତି ଦେବାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ହାତୀକୁ ମାରିଦେବା ପରେ ମାଟିଖୋଳି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୌରବାଡ଼ ସଂସ୍ପର୍ଶରେ ଆସି ହାତୀଟି ମରିଛି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି, ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ଢେଙ୍କାନାଳ ଏସିଏଫ୍ କୁଞ୍ଜବିହାରୀ ନାୟକଙ୍କ ସହ ହିନ୍ଦୋଳ ରେଞ୍ଜ ଅଧିକାରୀ ତ୍ରିଲୋଚନ ଦେହୁରୀ, ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟ, ଫରେଷ୍ଟ ଗାର୍ଡ ଦିପୁ ରଞ୍ଜନ ଖିଲାର ଏବଂ ହିନ୍ଦୋଳ ପୁଲିସ ଅଧିକାରୀମାନେ ଯାଇ ଛାନ୍ଭିନ୍ ଚଳାଇଛନ୍ତି।
