ଗିରଫ ଅପହରଣକାରୀ ହେଲେ ବି-ଫାର୍ମା ତୃତୀୟ ବର୍ଷ ଛାତ୍ର ସନ୍ଦୀପ କୁମାର ରାଉତ, ଚତୁର୍ଥ ବର୍ଷ ଛାତ୍ର ରିତିକ ମୁଦୁଲି, ଡୁମୁଡୁମା ଅଞ୍ଚଳର ଶୁଭମ ପ୍ରଧାନ ଓ ସ୍ଥାନୀୟ ସନ୍ତୋଷୀ ନଗର ବସ୍ତିର ବିଶ୍ୱାସ ନାୟକ।
ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରୁ ଜଣେ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଦୁଇଜଣ ଛାତ୍ରଙ୍କ ସମେତ ଚାରିଜଣ ଅପହରଣ କରି ନେଇଥିଲେ। ଅଭିଯୋଗକୁ ଭିତ୍ତିକରି ଭରତପୁର ପୁଲିସ ମାତ୍ର ଦୁଇଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ତାଳଚେର ଅଞ୍ଚଳର ବିଶ୍ୱଜିତ ପ୍ରଧାନ (୨୨ବର୍ଷ) ନାମକ ଜଣେ ଚତୁର୍ଥ ବର୍ଷ ବି.ଏସ୍.ସି. ନର୍ସିଂ ଛାତ୍ରଙ୍କୁ କିଛି ଅଜଣା ଯୁବକ ଅପହରଣ କରି ନେଇଥିଲେ। ଛାତ୍ର ଜଣଙ୍କ ମୁକ୍ତି ପାଇଁ ଅପହରଣକାରୀ ୫୦,୦୦୦ ତାଙ୍କ ଦାବି କରୁଥିଲେ। ଅଭିଯୋଗକୁ ଭିତ୍ତିକରି ଡିସିପି ଭରତପୁର ଥାନାଧିକାରୀ, ସ୍ପେଶାଲ୍ ସ୍କ୍ୱାଡ୍ ଏବଂ ବୈଷୟିକ କର୍ମଚାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ଏହି ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଉନ୍ନତ ବୈଷୟିକ ସହାୟତା, କଲ୍ ଡିଟେଲ୍ ରେକର୍ଡ (CDR) ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ବିଶ୍ଳେଷଣ ମାଧ୍ୟମରେ ପୀଡ଼ିତ ଏବଂ ସନ୍ଦିଗ୍ଧମାନଙ୍କ ଗତିବିଧିକୁ ଚିହ୍ନଟ କରାଯାଇଥିଲା। ବୈଷୟିକ ସୂତ୍ର ଆଧାରରେ ଟିମ୍ ଆୟୁର୍ବେଦିକ କଲେଜ ନିକଟ ଲେନ୍-୨ ରେ ଥିବା ଏକ ଭଡ଼ା ଘର ଉପରେ ଚଢ଼ାଉ କରିଥିଲା ଏବଂ ଘଟଣାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପୀଡ଼ିତ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୁଲିସ। ଅପହରଣକାରୀମାନେ ଦାବି କରିଥିବା ସମ୍ପୂର୍ଣ୍ଣ ମୁକ୍ତିପଣ ରାଶି ୫୦,୦୦୦ ଟଙ୍କା ଉଦ୍ଧାର ସହ ଜବତ କରାଯାଇଥିଲା। ଅପହରଣ ଓ ଚାନ୍ଦାବାଜି ଘଟଣାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଅପହରଣକାରୀଙ୍କ ପାଖରୁ ଏକ ୟୁନିକର୍ଣ୍ଣ ବାଇକ (OD-05AE-1474), ଏକ ଛୁରୀ, ଏକ ପିଠା ଖଡ଼ିକା, ନଗଦ ୫୦,୦୦୦ ଟଙ୍କା, ଚାରିଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

