ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୯ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସମ୍ଭାବନା ଅଛି। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଲଘୁଚାପ ନ ହେବା ପର୍ଯ୍ୟନ୍ତ ରାଜ୍ୟରେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଅନୁମାନ କରାଯାଉଛି, ୧୦/୧୧ ତାରିଖ । ବେଳକୁ ଏକ ଘୃଷ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ। ଏପରିକି ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ। ତେଣୁ ୧୦/୧୧ ତାରିଖ ପରେ ରାଜ୍ୟରେ ପୁଣି ବର୍ଷା ପ୍ରକୋପ ବଢ଼ିବା ସମ୍ଭାବନା ଅଛି।

ଚଳିତବର୍ଷ ରାଜ୍ୟରେ ମୌସୁମୀ ଅଧିକ ବର୍ଷା ଦେଇଛି। ଜୁନ୍ ମାସରେ ଯଦିଓ ବର୍ଷା ପରିମାଣ ନିଅଣ୍ଟିଆ ଥିଲା, କିନ୍ତୁ, ଜୁଲାଇ ଓ ଅଗଷ୍ଟରେ ଢେର ବର୍ଷିଲା । ଯେଉଁଥି ପାଇଁ ୪ ମାସରେ ଯେତିକି ବର୍ଷା ହେବା କଥା, ୩ ମାସରେ ତା’ଠାରୁ ଅଧିକ ବର୍ଷା ପାଇଲା ଓଡ଼ିଶା। ଜୁନ୍ ପହିଲାରୁ ଏଯାଏ ରାଜ୍ୟରେ ହାରାହାରି ୯୫୨.୨ ମିଲିମିଟର ବର୍ଷା ହେବା କଥା। ହେଲାଣି ୧୧୭୩.୨ ମିମି। ଏହା ସ୍ବାଭାବିକଠାରୁ ୨୩% ଅଧିକ। ଗଜପତିକୁ ଛାଡ଼ିଦେଲେ ଅନ୍ୟ କୌଣସି ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ନାହିଁ।