୭ ଜିଲ୍ଲାରେ ବଢ଼ିଛି ଧାନ ଚାଷ, ଗୃହରେ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

Images

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ବର୍ଷ ଧାନ ଚାଷ କ୍ଷେତ୍ରରେ ଉତ୍ସାହଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟର ୭ଟି ଜିଲ୍ଲାରେ ଧାନ ଚାଷ ପରିମାଣ ବୃଦ୍ଧି ପାଇଛି। ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ଚାଷୀମାନେ ଅଧିକ ଜମିରେ ଧାନ ଚାଷ କରିଥିବା ଜଣାପଡ଼ିଛି । ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏହି ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ମୋଟ ୩୭ ଲକ୍ଷ ୪୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ସେହିପରି ୨୦୨୫-୨୬ ବର୍ଷରେ ଏହା ବୃଦ୍ଧି ପାଇ ୩୯ ଲକ୍ଷ ୪୨ ହଜାର ହେକ୍ଟର ଜମିରେ ପହଞ୍ଚିଥିଲା, ଯାହା ଚାଷ କ୍ଷେତ୍ରରେ ଏକ ବଡ଼ ସଫଳତା ଦର୍ଶାଉଛି ।

ଅନ୍ୟପଟେ ଚଳିତ ବର୍ଷ ସେପ୍ଟେମ୍ବର ୧୯ ସୁଦ୍ଧା ରାଜ୍ୟରେ ୩୬ ଲକ୍ଷ ୧୮ ହଜାର ହେକ୍ଟର ଜମିର ଧାନ ବିକ୍ରି କରିବା ପାଇଁ ଚାଷୀମାନେ ନିଜର ନାମ ପଞ୍ଜିକରଣ କରିସାରିଛନ୍ତି । ସରକାରୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଏହି ପଞ୍ଜିକରଣ ପ୍ରକ୍ରିୟା ବେଶ୍ ଉତ୍ସାହଜନକ ରହିଛି । ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ଯୋଜନା ଏବଂ ଜଳସେଚନ ସୁବିଧା ଯୋଗୁଁ ଏହିସବୁ ଜିଲ୍ଲାରେ ଧାନ ଚାଷ ପରିମାଣ ବଢ଼ୁଥିବା କୁହାଯାଉଛି ।

Share