ଗଣେଶ ଭସାଣି ବେଳେ ଡିଜେ ଭାଇବ୍ରେସନରେ ଭୁଶୁଡ଼ିଲା ଛାତ ! ଜଣେ ମୃତ ଓ ୧୦ରୁ ଉର୍ଦ୍ଧ୍ବ ଗୁରୁତର

Dj sound

ଭୁବନେଶ୍ୱର: ଭୁବନେଶ୍ୱରର ଜଟଣୀରେ ଏକ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ଦୁଃଖଦରେ ପରିଣତ ହୋଇଛି । DJର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ିଥିଲା।ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ ହୋଇଥିଲେ। ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ତୀବ୍ରକମ୍ପନ ଯୋଗୁଁ ଏହି ନିର୍ମାଣଗତ ବିଫଳତା ଘଟିଥାଇପାରେ ବୋଲି ପୋଲିସ ଅଭିଯୋଗର ତଦନ୍ତ କରୁଛି। ମୃତକ ଜଣକ ଜଟଣୀର ବାସିନ୍ଦା ଚିଣ୍ଟୁ ବାରିକ (୩୦) ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ଛଅ ଜଣ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଅନ୍ୟ ତିନି ଜଣଙ୍କୁ ଡିସଚାର୍ଜ କରାଯାଇଛି। ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ପୋଲିସ ଅନୁଯାୟୀ, ବିସର୍ଜନ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିବା ବେଳେ ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିଲା। ରାସ୍ତା କଡ଼ରେ ଥିବା ଏକ ସରକାରୀ ବ୍ୟାଙ୍କ କୋଠାର ଝରକା ଉପରେ ଥିବା ଏକ ସ୍ଲାବ୍ ହଠାତ୍ ଦର୍ଶକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀ ଏବଂ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏକ ସରକାରୀ କ୍ଷେତ୍ରର ବ୍ୟାଙ୍କ ଥିବା ପ୍ରାୟ ୪୦ ବର୍ଷ ପୁରୁଣା କୋଠାର ଝରକା ଉପରେ ଥିବା ସ୍ଲାବ୍‌ରୁ କଂକ୍ରିଟର ବଡ଼ ଖଣ୍ଡ ଖସିପଡ଼ି ତଳେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏଥିରେ ଅନେକ ଲୋକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେମାନଙ୍କର ରକ୍ତସ୍ରାବ ହୋଇଥିଲା। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ରେଳବାଇ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଏବଂ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଆହତମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଶୋଭାଯାତ୍ରା ଦାୟିତ୍ୱରେ ଥିବା କମିଶନରେଟ୍ ପୋଲିସ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।ଏପଟେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ତାହା ଜାଣିବା ପାଇଁ ବିଲ୍ଡିଂ ଇଞ୍ଜିନିୟରମାନେ ପୂର୍ବରୁ କୋଠାର ଯାଞ୍ଚ କରୁଥିବା ନେଇ ଜଣାପଡ଼ିଛି।

Share