କ୍ରୟ ପରିମାଣକୁ ନେଇ ମଧ୍ୟ ସରକାର ତଥ୍ୟ ଦେଇଛନ୍ତି। ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ୩,୭୧୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣାଯାଇଥିବା ବେଳେ ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଏହା ୨,୨୫୪ ଲକ୍ଷ ମେଟ୍ରିକ୍ ଟନ୍ ଥିଲା। ୬ଟି ରବି ଫସଲକୁ ମିଶାଇ କ୍ରୟ ପରିମାଣ ମଧ୍ୟ ୩,୯୨୧ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହି ସମୟରେ ଗହମ ଚାଷୀଙ୍କୁ MSP ବାବଦରେ ୭.୩୧ ଲକ୍ଷ କୋଟି ଟଙ୍କା ଏବଂ ୬ଟି ରବି ଫସଲ ପାଇଁ ମୋଟ ୮.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସରକାର କହିଛନ୍ତି। ଏହା ସହ ଗ୍ରୀନ୍ ଏନର୍ଜି କରିଡର ଫେଜ୍-୩ ବା GEC-IIIକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫ GW ପର୍ଯ୍ୟନ୍ତ ଅକ୍ଷୟ ଶକ୍ତିକୁ ଗ୍ରିଡ୍ରେ ଯୋଡ଼ିବା ଏବଂ ପରିବହନ କରିବା ପାଇଁ ଟ୍ରାନ୍ସମିସନ୍ ବ୍ୟବସ୍ଥା ବିକଶିତ କରାଯିବ। ଏଥିରେ ୫୦ GWh ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ମଧ୍ୟ ରହିବ।
ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ୧.୮୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏଥିରୁ ପ୍ରାୟ ୧.୩୬ ଲକ୍ଷ କୋଟି ଟଙ୍କା InSTS ପାଇଁ ଏବଂ ୫୦ ହଜାର କୋଟି ଟଙ୍କା BESS ପାଇଁ ଖର୍ଚ୍ଚ ହେବ। କେନ୍ଦ୍ର ସରକାର ୫୪,୦୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ। ୨୦୩୨-୩୩ ଆର୍ଥିକ ବର୍ଷ ସୁଦ୍ଧା ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି। ଏହା ସହ ଦେଶର ଅକ୍ଷୟ ଶକ୍ତି କ୍ଷମତା ବଢ଼ାଇବା, ଶକ୍ତି ସୁରକ୍ଷା ମଜବୁତ କରିବା ଓ ନୂଆ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଦିଲ୍ଲୀ ପାଇଁ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମାନେଜମେଣ୍ଟ ସିଷ୍ଟେମ୍ ବା ITMS ସମ୍ପର୍କିତ ନିଷ୍ପତ୍ତିକୁ ମଧ୍ୟ ମଞ୍ଜୁରୀ ମିଳିଛି ।
