ବର୍ତ୍ତମାନର ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ରାଜ୍ୟର ରାଜସ୍ୱ ଆଦାୟ ହ୍ରାସ ପାଉଥିବା ବେଳେ ବଜେଟ୍ ଅର୍ଥର ସଠିକ୍ ବିନିଯୋଗ ହୋଇପାରୁନାହିଁ । ଏହାର ଓଲଟା ପ୍ରଭାବ ସ୍ୱରୂପ ଓଡ଼ିଶା ଉପରେ ଋଣ ଭାର ବଢ଼ିବାରେ ଲାଗିଛି । ଲୋକେ ଏବେ ଅନୁଭବ କଲେଣି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥା କେବଳ “ବିଶୃଙ୍ଖଳିତ ପରିଚାଳନା” କ୍ଷେତ୍ରରେ ବିଶେଷଜ୍ଞ ହୋଇଯାଇଛି ।
ଏଥିସହ ଦରଦାମ୍ ବୃଦ୍ଧି ଓ ସାଧାରଣ ଖାଉଟିଙ୍କ ସମସ୍ୟା ପ୍ରସଙ୍ଗକୁ ଉଠାଇ ନବୀନ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି । ୟୁପିଆଇ ପେମେଣ୍ଟ ଉପରେ ଲାଗୁ ହେବାକୁ ଥିବା ଅତିରିକ୍ତ ଦେୟ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ଏବଂ ଶେଷରେ ଏହି ଅତିରିକ୍ତ ଭାର ଗ୍ରାହକମାନଙ୍କୁ ହିଁ ଶୋଷଣ କରିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ଏହାଛଡ଼ା, ଡବଲ୍ ଇଞ୍ଜିନ୍ ସରକାରର ଦାବି ସତ୍ତ୍ୱେ କେନ୍ଦ୍ରୀୟ ସଂସ୍ଥା ଏଫ୍ସିଆଇ ଓଡ଼ିଶାରୁ ଆବଶ୍ୟକୀୟ ଚାଉଳ ଉଠାଉନଥିବାରୁ ଏହାକୁ ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।
ଅକ୍ଟୋବର ୨ ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟର ଗାଁଠୁ ସହର ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ଏହି ବହୁଚର୍ଚ୍ଚିତ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ବିଧାୟକ, ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।
