କଟକ : କଟକ ଦୁର୍ଗାପୂଜା ଡ୍ୟୁଟିରେ ନିୟୋଜିତ ଥିବା ଜଣେ ପୁଲିସ ଏଏସ୍ଆଇ (ସହକାରୀ ଉପ-ନିରୀକ୍ଷକ)ଙ୍କ ସନ୍ଦେହଜନକ ମୃତଦେହ ସ୍ଥାନୀୟ ରେଳଧାରଣାରୁ ଉଦ୍ଧାର କରାଯାଇଛି। ମୃତ ଅଧିକାରୀ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ।
ମିଳିଥିବା ସୂଚନା ମୁତାବକ, ଏଏସ୍ଆଇ ଜିତେନ୍ଦ୍ର ସାମନ୍ତରାୟ ସମ୍ପ୍ରତି ପୁଲିସ ବିଭାଗରେ ତାଲିମ ନେଉଥିବା ବେଳେ କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ଚହଟା ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ। ଚଳିତ ଶାରଦୀୟ ଦୁର୍ଗାପୂଜା ତଥା ଭସାଣି ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ତାଙ୍କୁ କଟକରେ ସ୍ୱତନ୍ତ୍ର ଡ୍ୟୁଟିରେ ମୁତୟନ କରାଯାଇଥିଲା।
ଶନିବାର ସକାଳେ କଟକ ନିକଟସ୍ଥ ରେଳଧାରଣାରେ ଏକ କ୍ଷତବିକ୍ଷତ ମୃତଦେହ ପଡ଼ିରହିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ରେଳବାଇ ପୁଲିସ (ଜିଆରପି) ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଏହା ଏଏସ୍ଆଇ ଜିତେନ୍ଦ୍ରଙ୍କର ବୋଲି ସ୍ପଷ୍ଟ ହୋଇଥିଲା।
ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ଏବଂ ମୃତଦେହ ରେଳଧାରଣାକୁ କିଭଳି ଆସିଲା, ସେ ନେଇ କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
