ପ୍ରଶିକ୍ଷଣ ବେଳେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ପାଇଲଟ ମୃତ

Plane crash

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ଉଡ଼ୁଥିବା ବେଳେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରେ ଫିଲିପାଇନ୍ସ ବାୟୁସେନାର ୪ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି ।ଫିଲିପାଇନ୍ସର ବାଟାଙ୍ଗାସ୍ ପ୍ରଦେଶର ଲିପା ସହରସ୍ଥିତ ଫର୍ନାଣ୍ଡୋ ଏୟାର ବେସରେ ଘଟିଛି ଦୁର୍ଘଟଣା ।

ବାୟୁସେନାର ୨ଟି SF-260 ଟ୍ରେନର୍ ବିମାନ ନିୟମିତ ପ୍ରଶିକ୍ଷଣ ଉଡ଼ାଣରେ ଥିବାବେଳେ ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୩ଟା ୫୧ ମିନିଟରେ ପରସ୍ପର ସହ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ବିମାନ ଏୟାର ବେସ୍ ପରିସରରେ ଖସିପଡ଼ିଥିଲା । ଦୁଇଟି ବିମାନରେ ମୋଟ ୪ ଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ବାୟୁସେନା ମୁଖପାତ୍ର କର୍ଣ୍ଣେଲ୍ ଆଲଭିନ୍ ଜେ କାପିଙ୍ଗୁଇଆନ୍ କହିଛନ୍ତି ଯେ, ଦୁର୍ଘଟଣା ପରେ ସୁରକ୍ଷା ଓ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ୍ ଭିଡିଓର ସତ୍ୟତା ବର୍ତ୍ତମାନ ଯାଏ ଯାଞ୍ଚ ହୋଇନାହିଁ । ଦୁଇ ବିମାନ ମଧ୍ୟରେ କେଉଁ ପରିସ୍ଥିତିରେ ଧକ୍କା ହେଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଜାରି ରହିଛି ।

Share