ଗଞ୍ଜାମ: ଆସୁଛି ବାତ୍ୟା । ସମୁଦ୍ର ଭିତରରେ ବଳ ଗୋଟାଇ ବାତ୍ୟା ‘ଅର୍ଣ୍ଣବ’ ଆସୁଥିବାରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ବାରଣ କରିଛି ପ୍ରଶାସନ । ଏପଟେ ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଆଜିଠୁ ୨୯ ତାରିଖ ଯାଏ ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ସ୍ଥାୟୀ ଓ ଅସ୍ଥାୟୀକୁ ମିଶାଇ ମୋଟ ୧୧୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସେହିଭଳି ମତ୍ସ୍ୟଜୀବୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି । ଆନ୍ଧ୍ର ଓ ପାରାଦୀପରୁ ସମୁଦ୍ରକୁ ଆସିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀ ଫିସିଂ ହାରବାର ଓ ଗୋପାଳପୁର ପୋର୍ଟରେ ଆଶ୍ରୟ ଦିଆଯାଇଛି । ୩ଟି ଓଡ୍ରାଫ ଟିମ ଜିଲ୍ଲାରେ ପହଞ୍ଚି ସାରିଛନ୍ତି । ଏଥିସହ ଜିଲ୍ଲାରେ ଏଯାଏଁ ୧୨୦୦ରୁ ଉର୍ଦ୍ଧ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୬୬ଜଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନନ୍ତର କରାଯାଇଛି ।
