ଯାଜପୁର : ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକନିକର ତିନି ଜଣ ଅଧ୍ୟାପକ, ଅଧ୍ୟାପିକା ନିଲମ୍ୱିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ନିଲମ୍ୱନ କରାଯାଇଛି । ନିଲମ୍ବିତମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା । ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଏକ ବୈଠକରେ ଏବଂ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ ।
ଅଧ୍ୟାପନା ଭଳି ମର୍ଯ୍ୟାଦାଜନକ ବୃତ୍ତିରେ ଥାଇ ମଧ୍ୟ ବୈଠକରେ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ମର୍ଯ୍ୟାଦାବିହୀନ କାର୍ଯ୍ୟରେ ଜଡ଼ିତ ହେବା ଦ୍ୱାରା ସେମାନେ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବା ସହିତ ସମଗ୍ର ଅନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛନ୍ତି । ପୂର୍ବରୁ ଗତ ୧୫ ତାରିଖରେ ରଗଡ଼ି ସ୍ଥିତ ସରକାରୀ ପଲିଟେକନିକର ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରା ଓ ସେହି ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ସମ୍ବିତ୍ ମହାପାତ୍ରଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ହୋଇଥିଲା ।
ପରସ୍ପର ମଧ୍ୟରେ ମାଡପିଟ ସହ ପରସ୍ପରକୁ ଖରାପ ଭାଷାରେ ଅଶାଳୀନ ମନ୍ତବ୍ୟ ଦେଇ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି କଲେଜର କାର୍ଯ୍ୟରତ ଅଧ୍ୟାପକ ସମ୍ବିତ ମହାପାତ୍ରଙ୍କ ପତ୍ନୀ ପି. ଆରାଧନା କଲେଜ ଛାତ୍ରଙ୍କୁ ଏକତ୍ରୀତ କରି ଛାତ୍ରାବାସ ପାଇଖାନାରୁ ମଇଳା ପାଣି ଆଣି କଲେଜ ପରିସରରେ ନୃସିଂହ ବେହେରାଙ୍କ ଉପରକୁ ଢାଳିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏହି ତିନି ଜଣ ଅଧ୍ୟାପକଅଧ୍ୟାପିକାଙ୍କୁ ନିଲମ୍ୱନ କରିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
