ଏହାର ପ୍ରମୁଖ ବିଶେଷତ୍ୱ ହେଉଛି, ୧୫୫ ମିଲିମିଟର ତୋପ; ଏଥିରେ ୫୨ କ୍ୟାଲିବର ବ୍ୟାରେଲ୍ ରହିଛି। ଯାହାର ଓଜନ ପ୍ରାୟ ୫୦ ଟନ୍। ଏହାର ପ୍ରତି ମିନିଟ୍ରେ ପ୍ରାୟ ୬ରୁ ୮ଟି ଗୋଳା ଫୁଟାଇପାରେ। ଯାହା ପ୍ରାୟ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ। ମରୁଭୂମିଠାରୁ ଆରମ୍ଭ କରି ଉଚ୍ଚ ପାହାଡ଼ିଆ ଅଞ୍ଚଳ ପର୍ଯ୍ୟନ୍ତ ଏହାକୁ ନିୟୋଜିତ କରାଯାଇପାରିବ। ଏହା ଏକ ସ୍ୱୟଂଚାଳିତ ତୋପ ବ୍ୟବସ୍ଥା। ଅର୍ଥାତ୍ ଯାନରେ ଲାଗିଥିବା ତୋପକୁ ଆବଶ୍ୟକ ଅନୁସାରେ ଶୀଘ୍ର ଅନ୍ୟ ସ୍ଥାନକୁ ନେଇ ଗୋଳା ମାଡ଼ କରାଯାଇପାରିବ। ଶତ୍ରୁ ପକ୍ଷର ସ୍ଥିତିକୁ ଲକ୍ଷ୍ୟ କରି ସେନାର ଅଭିଯାନକୁ ସହାୟତା ଦେବା ଏହାର ମୁଖ୍ୟ କାର୍ଯ୍ୟ।
ଅନ୍ୟପଟେ, ଭାରତୀୟ ସେନା ଓ ବାୟୁସେନାରେ ବ୍ୟବହୃତ ପୁରୁଣା ଚିତା ଓ ଚେତକ ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରାୟ ୨୦୦ଟି ସ୍ୱଦେଶୀ ହାଲୁକା ୟୁଟିଲିଟି ହେଲିକପ୍ଟର (LUH) କିଣିବା ଯୋଜନା ରହିଛି। ରାଷ୍ଟ୍ରାୟତ୍ତ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଏହି ହେଲିକପ୍ଟର ବିକଶିତ କରୁଛି। ସଶସ୍ତ୍ର ବାହିନୀକୁ ମୋଟ ପ୍ରାୟ ୪୦୦ଟି ହାଲୁକା ହେଲିକପ୍ଟର ଆବଶ୍ୟକ। ଏଗୁଡ଼ିକ ସୈନିକ ଓ ସାମରିକ ସାମଗ୍ରୀ ପରିବହନ, ନିରୀକ୍ଷଣ ଏବଂ ଅନ୍ୟାନ୍ୟ ସାମରିକ କାର୍ଯ୍ୟରେ ବ୍ୟବହୃତ ହୁଏ। ବିଶେଷକରି ଚୀନ୍ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (LAC) ଓ ହିମାଳୟର ଦୁର୍ଗମ ଅଞ୍ଚଳରେ ଏଗୁଡ଼ିକର ଗୁରୁତ୍ୱ ରହିଛି।
ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପ୍ରାୟ ୨୦୦ଟି ହାଲୁକା ବହୁମୁଖୀ ହେଲିକପ୍ଟର (LMRH) କିଣିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ଦେଇଥିଲା। ଏହାପରେ ସେନା ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରୁଛି। ଏହି ଦୁଇଟି ପ୍ରତିରକ୍ଷା ଯୋଜନାର ଲକ୍ଷ୍ୟ ହେଉଛି ସେନାର ଯୁଦ୍ଧ ପ୍ରସ୍ତୁତିକୁ ମଜଭୁତ କରିବା, ପୁରୁଣା ଯନ୍ତ୍ରପାତି ବଦଳାଇବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆଗକୁ ନେବା।
