ଆନ୍ଧ୍ରପ୍ରଦେଶ: ବାତ୍ୟା ଯାଇଛି, କରିଛି ଅନେକ କ୍ଷୟକ୍ଷତିା ପାଣି ଘେରରେ ଅନେକ ଚାଷ କ୍ଷେତ, ଅନେକ ଲୋକ ନିଜ ଘର ଛାଡି ଆଶ୍ରୟସ୍ଥଳୀରେ ନେଇଛନ୍ତି ଆଶ୍ରୟ । ବାତ୍ୟା ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି । ପାଖାପାଖି ୭ଜଣଙ୍କ ମୃତୁ୍ୟ ନେଇ ଆକଳନ କରାଯାଉଥିବା ବେଳେ ପ୍ରାୟ ୪୬ଶହ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳୁଛି । ଏନେଇ ଆକାଶମାର୍ଗରୁ କ୍ଷୟକ୍ଷତିର ଆକଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । । ପଶ୍ଚିମ ଗୋଦାବରୀ, କାକିନାଡା, ପୂର୍ବଗୋଦାବରୀ, କୋନାସୀମା ଓ କୃଷ୍ଣା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ,ସୂଚନା ମିଲିଛି । ଅର୍ଣ୍ଣବ ଯୋଗୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ଆଜି ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୪୬୦୦କୋଟିର କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିସ୍ତ୍ରୁତ ଆକଳନ ପରେ କ୍ଷୟକ୍ଷତି ପରିମାଣ ଆହୁରି ବଢିପାରେ ବୋଲି ସେ କହିଛନ୍ତି । ବି.ଆର ଆମ୍ବେଦକର କୋନାସୀମା ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ମିଦିଭରମ ନିର୍ବାଚନ ମଣ୍ଡଳୀର ଗଚକାୟଲାପୋରାରେ ଥିବା ରିଲିଫ୍ କେନ୍ଦ୍ର ପରିଦର୍ଶନ କରିବା ସହ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏମିତିକି ପ୍ରାଥମିକ କ୍ଷୟକ୍ଷତି ରିର୍ପୋଟ ମଧ୍ୟ ଦାଖଲ ହୋଇଥିଲା ।
କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ନଡିଆ ଗଛ ଏବଂ ତେଲ ତାଳ ଗଛ ପିଛା ୧୫ଶହ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ରିଲଫ୍ ଶିବିରରୁ ଫେରୁଥିବା ପରିବାର ଗୁଡିକୁ ୨୫ କିଲୋଗ୍ରାମ ଚାଉଳ, ଅତ୍ୟାବଶ୍ୟକ ସମାଗ୍ରୀର ଏକ ପ୍ୟାକେଟ୍ ଏବଂ ତୁରନ୍ତ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ୧୬ଟି ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଖବର ମିଲିଛି ପୁନରୁଦ୍ଧାର ପାଇଁ ତେଲେଙ୍ଗାନା ସରକାରଙ୍କୁ ବିଦୁ୍ୟତ ବିଭାଗର ହଜାରେ କର୍ମଚାରୀ ପଠାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ଟୋବର ୨୬ରୁ ୨୯ରେ ବର୍ଷା ଯୋଗୁ ରାଜ୍ୟରେ ୩୮୦ ଟିଏମସି ଜଳ ଆସିଥିବା ଆକଳନ କରାଯାଉଛି ।
