ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ମିଳିବ ୮ଟି ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ୪୦ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବ ୮ଟି ନେକ୍ସଟ୍ ଜେନେରେସନ ଷ୍ଟିଲଥ ୱାରସିପ୍ । କେନ୍ଦ୍ର କ୍ୟାବିନେଟ୍ କମିଟି ପକ୍ଷରୁ ୱାରସିପ୍ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟ ଦୁଇଟି ପ୍ରମୁଖ ସରକାରୀ ଶିପ୍ ୟାର୍ଡ ମଧ୍ୟରେ ବିଭାଜିତ ହୋଇଛି ।
କୋଲକାତାର ଗାର୍ଡେନ୍ ରିଚ୍ ଶିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (GRSE) ୫ଟି ଜାହାଜ ଏବଂ ଗୋଆ ଶିପ୍ ୟାର୍ଡ ଲିମିଟେଡ୍ (GSL) ବାକି ୩ଟି ଜାହାଜ ନିର୍ମାଣ କରିବେ । ପ୍ରଥମ ଷ୍ଟିଲଥ ଯୁଦ୍ଧ ଜାହାଜ ୨୦୩୦ ସୁଦ୍ଧା ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବା ଲକ୍ଷ୍ୟ ରଖାଯାଇଛି । ଏହି ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭାରତୀୟ ନୌସେନାର ନିଜସ୍ୱ ଷ୍ଟିଲଥ୍ ଡିଜାଇନରେ ପ୍ରସ୍ତୁତ କରାଯିବ । ଏହି ଜାହାଜଗୁଡ଼ିକର ଓଜନ ପ୍ରାୟ ୨,୦୦୦ ରୁ ୩,୫୦୦ ଟନ୍ ମଧ୍ୟରେ ହେବ । ଘଣ୍ଟା ପ୍ରତି ୩୦ ନଟ୍ସ ବେଗରେ ଗତି କରିପାରିବ ।
ସମୁଦ୍ର ମଧ୍ୟରେ ଶତ୍ରୁ ଉପରେ ନଜର ରଖିବ ଏବଂ ଉପକୂଳ ସୁରକ୍ଷା ଦେବ ଏହି ଜାହାଜ । ଏଥିରେ ଶକ୍ତିଶାଳୀ ବ୍ରହ୍ମୋସ ସୁପରସୋନିକ ମିସାଇଲ୍ ଏବଂ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ସାମିଲ କରାଯିବ । ଏହି ନୂତନ ୮ଟି ଜାହାଜ ଭାରତୀୟ ନୌସେନାର ପୁରୁଣା ହୋଇଯାଇଥିବା ବୀର, ଖୁକ୍ରି ଏବଂ କୋରା ଶ୍ରେଣୀର ଜାହାଜଗୁଡ଼ିକର ସ୍ଥାନ ନେବେ । ଏହା ଭାରତ ମହାସାଗର ଅଞ୍ଚଳରେ ଚୀନ୍ ଏବଂ ପାକିସ୍ତାନର ନୌସେନା ଶକ୍ତିକୁ କଡ଼ା ଟକ୍କର ଦେବାରେ ସାହାଯ୍ୟ କରିବ ।
