ସ୍କର୍ପିଓ-ଟ୍ରକ୍ ମୁହାଁମୁହିଁ ଧକ୍କା: ୫ ମୃତ, ୩ ଗୁରୁତର

21

ବିହାର: ବିହାରର ଲଖିସରାୟ ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍କର୍ପିଓ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ତେତରହାଟ ଥାନା ଅନ୍ତର୍ଗତ ଗୁଣସାଗର ଗ୍ରାମ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଆଜି ସକାଳେ ଜମୁଇ ପଟୁ ଆସୁଥିବା ଏକ ସ୍କର୍ପିଓ ସାମ୍ନା ପଟୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଏହି ଧକ୍କାରେ ୫ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୩ ଜଣ ଅବସ୍ଥା ଗୁରୁତର ରହିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଲଖିସରାୟ ସଦର ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଆହତଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ମୃତକଙ୍କ ମଧ୍ୟରେ ଦୁଇ ମହିଳା, ଜଣେ ଶିଶୁ ଏବଂ ଦୁଇ ଜଣ ପୁରୁଷ ରହିଛନ୍ତି । ସବୁଠାରୁ ଦୁଃଖଦ ଘଟଣା ହେଉଛି, ସ୍କର୍ପିଓରେ ଯାତ୍ରା କରୁଥିବା ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସେମାନେ ମୋତିହାରୀ ଜିଲ୍ଲାର ବାସିନ୍ଦା ବୋଲି ସୂଚନା ମିଳିଛି ।

ଅନ୍ୟପଟେ ମୃତଦେହଗୁଡ଼ିକୁ ହସ୍ପିଟାଲର ମର୍ଚ୍ଚୁରୀରେ ରଖାଯାଇଛି । ପରିବାର ଲୋକେ ପହଞ୍ଚିବା ପରେ ପୋଷ୍ଟମର୍ଟମ କରାଯିବ । ଏହା ବ୍ୟତୀତ ତେତରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି ।

Share