କଟକ(ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ଆଉ ଏବର୍ଷ ବି ବାଲିଯାତ୍ରାକୁ ଶନିଦଶା। ଆରମ୍ଭରୁ ଅଘଟଣ ପରେ ଏବେ ଦୋଳି ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ଗୁରୁବାର (ନଭେମ୍ବର ୨୬) ରାତି ପ୍ରାୟ ୧୦ଟାରେ କଟକ ବାଲିଯାତ୍ରା ପଡ଼ିଆରେ ଥିବା ଏକ ବିଶାଳ ରାମାଦୋଳିରୁ ଦୁଇଜଣ ଯୁବକ ତଳକୁ ଖସିପଡ଼ିଥିଲେ। ଏଥିରେ ଜଣେ ପ୍ରାୟ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ପ୍ରାୟ ୩୦ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଘଟଣାଟି ନିମ୍ନ ବାଲିଯାତ୍ରା ପଡ଼ିଆର ‘କଟକ ଇନ୍ କଟକ’ ପାଭିଲିୟନ୍ ନିକଟରେ ଘଟିଥିଲା। ଦୁଇ ଯୁବକ ଦୋଳିରେ ବସିଥିବାବେଳେ ହଠାତ୍ ତଳକୁ ଖସିପଡ଼ିଥିଲେ। ଖସିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପ୍ରାଥମିକ ସୂଚନା ଅନୁସାରେ, ଦୋଳି ଚାଲୁଥିବା ସମୟରେ ଦୁହେଁ ଆସନ ପରିବର୍ତ୍ତନ କରିବାକୁ ଉଦ୍ୟମ କରିବାରୁ ଭାରସାମ୍ୟ ହରାଇ ତଳକୁ ଖସିଥିବା ସନ୍ଦେହ କରାଯାଉଛି।
ଘଟଣା ପରେ ବାଲିଯାତ୍ରା ପଡ଼ିଆରେ ନିୟୋଜିତ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ପଡ଼ିଆରେ ଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କଟକ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଜଣେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଯୁବକ ଭଦ୍ରକ ଜିଲ୍ଲାର ବାସିନ୍ଦା ଏବଂ କଟକରେ ଭଡ଼ାଘରେ ରହୁଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଥିବା ସମସ୍ତ ଦୋଳି ଓ ମନୋରଞ୍ଜନମୂଳକ ଯନ୍ତ୍ରପାତିର ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ବୈଷୟିକ ଟିମ୍ ଦ୍ୱାରା ଯାଞ୍ଚ ଓ ସୁରକ୍ଷା ପ୍ରମାଣପତ୍ର ଯାଞ୍ଚ ପରେ ହିଁ ପୁଣି ଦୋଳି ଚାଲିବାକୁ ଅନୁମତି ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
କଟକ ଜୋନ୍-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ଅନୁଯାୟୀ, ଦୋଳିର ଫିଟ୍ନେସ୍ ପ୍ରମାଣପତ୍ର ଅପରେଟରଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହାର ତଦନ୍ତ ଚାଲିଛି। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ଅନ୍ୟପକ୍ଷରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ପ୍ରାଥମିକ ମତ ଅନୁସାରେ, ଦୋଳିରେ ଯାନ୍ତ୍ରିକ ତ୍ରୁଟି ଥିବାର କୌଣସି ସଙ୍କେତ ମିଳିନାହିଁ। ଦୋଳିରେ ବସିଥିବା ଲୋକଙ୍କ ମଧ୍ୟରେ କୌଣସି ଗଣ୍ଡଗୋଳ କିମ୍ବା ଅନ୍ୟ କାରଣରୁ ଜଣେ ଭାରସାମ୍ୟ ହରାଇଥାଇପାରନ୍ତି ବୋଲି ପ୍ରାଥମିକ ଅନୁମାନ କରାଯାଉଛି। ତେବେ ତଦନ୍ତ ଓ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ବାଲିଯାତ୍ରା ଆରମ୍ଭରୁ ଅଘଟଣ ଲାଗି ରହିଛି। ନଭେମ୍ବର ୨୫ରେ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏବେ ଦୋଳି ଦୁର୍ଘଟଣାରେ ଆଉ ଜଣଙ୍କ ଜୀବନ ଯିବା ଫଳରେ ମେଳାର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ପ୍ରଶ୍ନ ଉଠିଛି। ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ଏହି ଐତିହାସିକ ମେଳାରେ ଦୋଳି ଓ ଅନ୍ୟ ମନୋରଞ୍ଜନ ଉପକରଣର ସୁରକ୍ଷା ଯାଞ୍ଚ କେତେ ନିୟମିତ ଓ କଡ଼ାକଡ଼ି ଭାବେ ହେଉଛି, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
