କାନ୍ଥ ଭୁଶୁଡି ଜଣେ ଶ୍ରମିକ ମୃତ, ଏକାଧିକ ଆହତ

୭

ଅନୁଗୋଳ: ଅନୁଗୋଳ ସହରର ହାକିମପଡ଼ା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ନିକଟରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ଜଣକ ପାଲଲହଡ଼ା ଅଞ୍ଚଳର ସିକେନ ହେସକା (୧୯) ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ୍ ପର୍ଯ୍ୟନ୍ତ ଆହତ ଶ୍ରମିକମାନଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ, ହାକିମପଡ଼ା ଛକ ନିକଟରେ ପିଡବ୍ଲ୍ୟୁଡି ପକ୍ଷରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଡ୍ରେନ୍ ନିକଟରେ ଥିବା କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ କାର୍ଯ୍ୟରତ ଶ୍ରମିକମାନେ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ସିକେନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣା ପରେ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ବ୍ୟବସ୍ଥା ଓ ତଦାରଖକୁ ନେଇ ପ୍ରଶ୍ନ ଉଠିଛି। କାର୍ଯ୍ୟସ୍ଥଳରେ ପିଡବ୍ଲ୍ୟୁଡିର କୌଣସି ଅଧିକାରୀ ଉପସ୍ଥିତ ନଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ରବିବାର ଛୁଟିଦିନରେ କେଉଁ ପରିସ୍ଥିତିରେ ନିର୍ମାଣ କାର୍ଯ୍ୟ ଚାଲିଥିଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share