କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟସ୍ଥ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ଅଘଟଣ । କାର୍ଯ୍ୟ କରୁଥିବା ସମୟରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର । ଉଭୟଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ କଲଣ୍ଡା ଗ୍ରାମର ସଂଜୟ ଗିରି ଓ ମୟୁରଭଞ୍ଜ ଜିଲ୍ଲାର ଚିନ୍ତାମଣି କଲା । କାରଖାନା ଭିତରେ କାମ କରୁଥିବା ବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଉଭୟଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି । ଅବସ୍ଥା ସଙ୍କଟାପନ୍ନ ରହିଛି । ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରେଫର୍ କରାଯାଇଛି ।
ଏହି ଘଟଣାକୁ ନେଇ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ବଡ଼ ପ୍ରଶ୍ନ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କାରଖାନାରେ କାମ କରିବା ସମୟରେ ଶ୍ରମିକମାନେ ଆବଶ୍ୟକ ସୁରକ୍ଷା ପୋଷାକ ଓ ଉପକରଣ ପିନ୍ଧିନଥିଲେ । SOP ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ତେବେ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳି ନାହିଁ ।
