Pm Cm

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ ଏବଂ ସ୍ବତନ୍ତ୍ର କରିପାରିଛି। ଆପଣଙ୍କ ମାର୍ଗଦର୍ଶନ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ ନୂଆ ଆଶା, ଉତ୍ସାହ ଏବଂ ଉଦ୍ଦୀପନା ଭରିଦେବା ସହ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି।ଏଥିପାଇଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି।’

ଗତକାଲି ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ। ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, ଚମତ୍କାର ସୂର୍ଯ୍ୟ ମନ୍ଦିର, ତାମ୍ରଲିପି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର ଆଦି ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ସେଠାରେ ଏହି ଗୌରବ ଅନୁଭବ କରିହେବ। ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଓ ବଣିକମାନେ ବାଲି, ସୁମାତ୍ରା ଓ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ। ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ସ୍ଥାନ ‘ଧଉଳି’ ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ବ ଯେତେବେଳେ ଖଡ୍ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ବକୁ ବାର୍ତ୍ତା ଦେଉଛି।

Share