Screenshot 2025 03 25 141336 750

ପୁରୀ: ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ହେଉଛନ୍ତି ତିଳୋତ୍ତମା ପ୍ରଧାନ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗକାରୀ ଅଭିମନ୍ୟୁ ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଉକ୍ତ ମହିଳାଙ୍କ ଘରେ ଚଢ଼ାଉ ସମୟରେ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ ପୋଲିସ ଏହାକୁ ଖଣ୍ଡନ କରିଛି। ଏଭଳି କୌଣସି ସୁନା ଏବଂ ଟଙ୍କା ମହିଳାଙ୍କ ଘରୁ ଜବତ ହୋଇ ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅଭିଯୋଗ ଅନୁସାରେ, ଗତ ୫ବର୍ଷ ହେବ ତିଳୋତ୍ତମା ଋଣ କରିଦେବେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ। ଏପରି କି ତାଙ୍କ ନିକଟରେ ସୁଟ୍‌କେସ୍‌ ଭର୍ତ୍ତି ୫୦୦ ଟଙ୍କିଆ ନୋଟ୍‌, ୨୦କେଜିରୁ ଊଦ୍ଧ୍ୱର୍ର୍ ସୁନା ଅଳଙ୍କାର ଏବଂ ଆର୍‌ବିଆଇରେ ବଣ୍ଡ ରହିଥିବା ଲୋକମାନଙ୍କୁ କହିବା ସହ ଟଙ୍କା ଓ ସୁନା ଅଳଙ୍କାରର ଏକାଧିକ ଫଟୋ ଦେଖାଉଥିଲେ।

ଫଳରେ ଲୋକମାନେ ତିଳୋତ୍ତମାଙ୍କ କଥାରେ ବିଶ୍ୱାସ କରି ଋଣ ନେବା ପାଇଁ ତାଙ୍କୁ ଟଙ୍କା ଦେଉଥିଲେ। ହେଲେ ପରବର୍ତ୍ତୀ ସମୟରେ ଋଣ ନଦେବାରୁ ଲୋକମାନଙ୍କ ସନ୍ଦେହ ବଢ଼ିଥିଲା। ଏପରି କି ଲୋକମାନେ ଦେଇଥିବା ଟଙ୍କା ଫେରାଇବାକୁ କହିବାରୁ ସେମାନଙ୍କୁ ତିଳୋତ୍ତମା ଗାଳିଗୁଲଜ ମଧ୍ୟ କରୁଥିଲେ। ଏନେଇ ଅଭିଯୋଗକାରୀ ଚନ୍ଦନପୁର ଥାନାରେ ଗତ ଫେବୃଆରୀ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏପରି କି ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ସୋମବାର ଚନ୍ଦନପୁର ପୋଲିସ ତିଳୋତ୍ତମାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ତାଙ୍କୁ ଗିରଫ କରିବା ସହ ତିଳୋତ୍ତମାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ବ୍ଲାଙ୍କ ଚେକ୍‌ ବୁକ୍‌ ଜବତ କରିଥିଲା। ଏହି ଠକେଇ ଘଟଣାରେ ଅନ୍ୟ ୨ଜଣଙ୍କ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି।

Share