ପୁରୀ : ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା | ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ସମଗ୍ର ଭାରତରେ ପାଳନ ହେଉଥିବା ରାକ୍ଷୀ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ଓ ଅନନ୍ୟ ଝଲକ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ର ପୁରୀରେ। ଏଠାରେ ଏହି ପର୍ବକୁ “ଗହ୍ମା ପୂର୍ଣ୍ଣିମା” ଭାବରେ ପାଳନ କରାଯାଏ ଏବଂ ଏହା କେବଳ ଭାଇଭଉଣୀର ସ୍ନେହର ବନ୍ଧନ ନୁହେଁ, ବରଂ ଏହା ସହିତ ଯୋଡି ହୋଇ ରହିଛି ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ | ଏହି ଦିନ ମାନବୀୟ ଲୀଳାରେ ଦେବୀ ସୁଭଦ୍ରା ନିଜର ଦୁଇ ଭାଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ରାକ୍ଷୀ ସାଧାରଣ ନୁହେଁ। ଏହାକୁ ପାଟରା ବିଶୋଇ ସେବକମାନେ ବଂଶାନୁକ୍ରମିକ ଭାବେ ନିଷ୍ଠା ଓ ଶ୍ରଦ୍ଧାର ସହ ପ୍ରସ୍ତୁତ କରିଥାନ୍ତି। ଚିତାଲାଗି ଅମାବାସ୍ୟା ଦିନଠାରୁ ଏହି ରାକ୍ଷୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଣିଆବନ୍ଦିରେ ତିଆରି ହୋଇଥିବା ବାସୁଙ୍ଗୀ ପାଟ ସୂତାରୁ ଏହି ରାକ୍ଷୀ ପ୍ରସ୍ତୁତ କରାଯାଏ। ଏହି ସ୍ୱତନ୍ତ୍ର ରାକ୍ଷୀ ସହିତ ଶ୍ରୀଜୀଉମାନଙ୍କ ପାଇଁ ଗୁଆମାଳ ମଧ୍ୟ ତିଆରି କରାଯାଏ, ଯାହା ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ପାଟ ସୂତାରେ ଗୁନ୍ଥା ହୋଇଥାଏ।
ଗହ୍ମା ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୁଏ। ମଧ୍ୟାହ୍ନ ଧୂପ ସରିବା ପରେ ଏହି ମୁଖ୍ୟ ନୀତି ଆରମ୍ଭ ହୋଇଥାଏ। ପାଟରା ବିଶୋଇ ସେବକଙ୍କ ଦ୍ୱାରା ପ୍ରଦତ୍ତ ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକମାନେ ରତ୍ନସିଂହାସନରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରନ୍ତି। ଦେବୀ ସୁଭଦ୍ରାଙ୍କ ତରଫରୁ ଉଭୟ ଭାଇଙ୍କ ଶ୍ରୀହସ୍ତରେ ରାକ୍ଷୀ ବନ୍ଧାଯାଏ, ଯାହା ଭାଇ-ଭଉଣୀ ସମ୍ପର୍କର ପବିତ୍ରତାକୁ ଦର୍ଶାଇଥାଏ। ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ଭକ୍ତିମୟ ହୋଇଥାଏ, ଏବଂ ଏହି ଦିବ୍ୟଲୀଳାକୁ ଦର୍ଶନ କରିବା ପାଇଁ ଭକ୍ତମାନେ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି।
ଗହ୍ମା ପୂର୍ଣ୍ଣିମା ଦିବସଟି କୃଷିକାର୍ଯ୍ୟ ସହ ଜଡ଼ିତ ଏକ ଗଣପର୍ବ ହୋଇଥିବା ବେଳେ, ଏହା ଶ୍ରୀମନ୍ଦିରରେ ବଡ଼ଠାକୁର ବଳଭଦ୍ରଙ୍କ ଜନ୍ମଦିନ ଭାବେ ମଧ୍ୟ ପାଳିତ ହୁଏ। ଏହି ଅବସରରେ ଶ୍ରୀମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ।
ଏହିପରି ଭାବରେ, ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ବରଂ ଏହା ଜଗନ୍ନାଥ ସଂସ୍କୃତିର ମାନବୀୟ ଦିଗକୁ ପ୍ରତିଫଳିତ କରୁଥିବା ଏକ ମହାନ ଉତ୍ସବ। ଏହା ଭାଇ-ଭଉଣୀର ଅନାବିଳ ସ୍ନେହ, ଭକ୍ତି ଓ ସମର୍ପଣର ପ୍ରତୀକ ଭାବେ ବର୍ଷ ବର୍ଷ ଧରି ପାଳିତ ହୋଇଆସୁଛି।
