ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଦଳ ଭିତରେ ଚାଲିଛି ଛକାପଞ୍ଝା। ମୋକିମଙ୍କ ବୟାନକୁ ନେଇ ତେଜୁଛି କଂଗ୍ରେସ କନ୍ଦଳ। କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍। ଏହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି।
କିଛି ବରିଷ୍ଠ ନେତା ଏ ସମ୍ପର୍କରେ ମୁହଁ ଖୋଲିଥିବା ବେଳେ ଅନ୍ୟମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ତେବେ ପିସିସି ସଭାପତି ଭକ୍ତଚରଣ ଦାସ ଏଯାଏଁ ପ୍ରତିକ୍ରିୟା ରଖି ନାହାନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବୟସ ଓ ରାହୁଲ ଗାନ୍ଧୀ ତାଙ୍କୁ ସାକ୍ଷାତ ନଦେବା ଅଭିଯୋଗ ଗ୍ରହଣୀୟ ନୁହେଁ। ସଂସଦରେ ଖଡ୍ଗେଙ୍କ ବିତର୍କ ଶୁଣନ୍ତୁ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସେ ବଳିଷ୍ଠ ଯୁକ୍ତି ବାଢ଼ୁଥିବା ସାରା ଦେଶ ଦେଖୁଛି। ସେ ଜଣେ ବିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି ବୋଲି ତାଙ୍କୁ ଦଳର ସଭାପତି କରାଯାଇଛି। ତାଙ୍କ ବାବଦରେ ଏମିତି ମନ୍ତବ୍ୟ ଦେବା ଠିକ୍ ନୁହେଁ। ରାହୁଲ ଗାନ୍ଧୀ ଦରିଦ୍ରତମ ଲୋକଙ୍କ କାନ୍ଧରେ ହାତ ପକାଇ ବୁଲନ୍ତି। ତେଣୁ ସେ ଭେଟୁନାହାନ୍ତି ବୋଲି ଅଭିଯୋଗ କରିବା ଠିକ୍ ନୁହେଁ।

