ଏହି ଗସ୍ତ ଅବସରରେ ମୋଦୀ ତାଙ୍କୁ କିଛି ସାଂସ୍କୃତିକ ଉପହାର ପ୍ରଦାନ କରିଛନ୍ତି। ଏଥିରେ ଫୁଲ ଓ ପାରମ୍ପରିକ ଡିଜାଇନରେ ପ୍ରସ୍ତୁତ ହୋଇଥିବା ଏକ ଗୁଜରାଟୀ ଝୁଲା ରହିଛି। ଏଥିସହ ମୋଦୀ ତାଙ୍କୁ ଏକ ହାତବୁଣା କାଶ୍ମୀରୀ ପଶମିନା ସାଲ୍ ଉପହାର ଦେଇଛନ୍ତି। ସୂଚନାନୁଯାୟୀ, ମୋଦୀ ଓ ୟୁଏଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନାରେ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗିତା ଉପରେ ଫୋକସ୍ ରହିଛି ଏବଂ ଏଥିସହ ଉଭୟ ନେତା ମିଳିତ ସ୍ବାର୍ଥ-ସମ୍ବଳିତ ଆଞ୍ଚଳିକ ଓ ବୈଶ୍ବିକ ପ୍ରସଙ୍ଗ ଉପରେ ମତବିନିମୟ କରିଥିବା ଜଣାପଡ଼ିଛି। ଉଲ୍ଳେଖଯୋଗ୍ୟ, ୟୁଏଇ ରାଷ୍ଟପତି ହେବାପରେ ଏହା ଶେଖ ମହମ୍ମଦଙ୍କର ତୃତୀୟ ଭାରତ ଗସ୍ତ।
ନୂଆଦିଲ୍ଲୀ: ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଆଜି ଭାରତ ଗସ୍ତରେ ଆସିଛନ୍ତି। ସେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ବ୍ୟକ୍ତିଗତ ଭାବେ ବିମାନବନ୍ଦର ଯାଇ ତାଙ୍କୁ ସ୍ବାଗତ କରିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୟୁଏଇ ରାଷ୍ଟ୍ରପତି ମାତ୍ର ୨ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଥିବାବେଳେ ମୋଦୀ ତାଙ୍କୁ ଯେଉଁ ଅପୂର୍ବ ବନ୍ଧୁତାର ନିଦର୍ଶନ ଦେଖାଇଛନ୍ତି ତାହା ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକ୍ରମେ ନାହୟାନ ଭାରତ ଗସ୍ତରେ ଆସିଛନ୍ତି।

