ନୂଆଦିଲ୍ଲୀ: ୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ । ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ବଡ଼ ବିଲ୍ । ଭାରତୀୟ ସଂସଦରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରିବା ସହ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଣୁଛନ୍ତି । ଏଥିପାଇଁ ଏପ୍ରିଲ ୧୬ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । କହିଛନ୍ତି, ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଓ ନିଷ୍ପତ୍ତି ନିଆଯିବ । ଯଦିଓ ବିରୋଧୀ ଦଳଗୁଡ଼ିକ ଏହାର କିଛି ଦିଗ ଉପରେ ପ୍ରଶ୍ନ ଉଠାଇଛନ୍ତି, ତଥାପି ଏହାକୁ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଂସ୍କାର ଭାବେ ଦେଖାଯାଉଛି ।
ଲୋକସଭାରେ ବର୍ତ୍ତମାନ ଥିବା ୫୪୩ଟି ଆସନ ବଢ଼ି ୮୧୬ ହେବ । ଏହି ବର୍ଦ୍ଧିତ ଆସନ ମଧ୍ୟରୁ ୨୭୩ଟି ସିଟ୍ କେବଳ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ସମସ୍ତ ରାଜ୍ୟରେ ଆନୁପାତିକ ଭାବେ ଆସନ ସଂଖ୍ୟା ବଢ଼ିବ । ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶର ସିଟ୍ ୮୦ରୁ ୧୨୦କୁ ବୃଦ୍ଧି ପାଇପାରେ। ସେହିପରି ଅନ୍ୟ ରାଜ୍ୟଗୁଡ଼ିକର ଆସନ ମଧ୍ୟ ବଢ଼ିବ । ଯଦି ଏହି ବିଲ୍ ପାସ୍ ହୁଏ, ତେବେ ୨୦୨୯ ସାଧାରଣ ନିର୍ବାଚନରୁ ମହିଳା ସଂରକ୍ଷଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇପାରିବ । କେବଳ ଲୋକସଭା ନୁହେଁ, ରାଜ୍ୟ ବିଧାନସଭାଗୁଡ଼ିକରେ ମଧ୍ୟ ଆସନ ସଂଖ୍ୟା ବୃଦ୍ଧି ସହ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା କରାଯିବ । ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ସରକାର ଏହି ପଦକ୍ଷେପ ନେଉଛନ୍ତି । ଏହାଦ୍ୱାରା ବର୍ତ୍ତମାନର ସାଂସଦମାନଙ୍କ ସିଟ୍ ରେ କୌଣସି ଅସୁବିଧା ନକରି ନୂଆ ଆସନ ମାଧ୍ୟମରେ ମହିଳାଙ୍କୁ ସୁଯୋଗ ଦିଆଯିବ ।

