ନୂଆଦିଲ୍ଲୀ: ନୂଆଦିଲ୍ଲୀ ସହିତ ଅଶୋଧିତ ତେଲ ଆମଦାନିରେ କୌଣସି ପେମେଣ୍ଟ୍ ସମସ୍ୟା ନାହିଁ। ଭାରତର ତୈଳ କମ୍ପାନିଗୁଡ଼ିକ ଇରାନ ସମେତ ବିଶ୍ବର ବହୁ ଦେଶରୁ ଅଶୋଧିତ ତେଲ କ୍ରୟ କରୁଛନ୍ତି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଶନିବାର କହିଛି। ସାମାଜିକ ଗଣମାଧ୍ୟମ ଏକ୍ସରେ ମନ୍ତ୍ରାଳୟ କହିଛି ଯେ ଇରାନରୁ ଅଶୋଧିତ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ସମୁଦ୍ରରେ ଚୀନ ଆଡ଼କୁ ଦିଗ ବଦଳାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ପେମେଣ୍ଟ ସମସ୍ୟା ଯୋଗୁ ଏଭଳି ହୋଇଥିବା ନେଇ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ସେଥିରେ କୌଣସି ସତ୍ୟତା ନାହିଁ।
ଭାରତ ୪୦ରୁ ଅଧିକ ଦେଶରୁ ଅଶୋଧିତ ତେଲ ଆମଦାନି କରୁଛି। ବାଣିଜ୍ୟିକ ଦୃଷ୍ଟିରୁ କମ୍ପାନିଗୁଡ଼ିକ ଯେକୌଣସି ସ୍ଥାନରୁ ଏବଂ ଦେଶରୁ ତେଲ କିଣିବାର ସ୍ବାଧୀନତା ପାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସେହି ଅଞ୍ଚଳରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହା ସତ୍ତ୍ବେ ଭାରତର ତୈଳ ବିଶୋଧନକାରୀ କମ୍ପାନିଗୁଡ଼ିକ ଇରାନ ସମେତ ଅନ୍ୟାନ୍ୟ ଦେଶରୁ ଅଶୋଧିତ ତେଲ କିଣୁଛନ୍ତି। ଇରାନରୁ ଅଶୋଧିତ ତେଲ ଆମଦାନି ନେଇ କୌଣସି ପେମେଣ୍ଟ ସମସ୍ୟା ନାହିଁ ବୋଲି କୁହାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଯେ ଇରାନରୁ ଆସିଥିବା ସି ବାର୍ଡ ନାମକ ଏଲ୍ପିଜି ଜାହାଜ ମାଙ୍ଗାଲୋରରେ ଏପ୍ରିଲ ୨ ତାରିଖରେ ଲାଗିଛି। ସେଥିରୁ ବର୍ତ୍ତମାନ ଏଲ୍ପିଜି ଖଲାସ କରାଯାଉଛି। ଏହି ଜାହାଜରେ ପ୍ରାୟ ୪୪ ହଜାର ଟନ୍ ଏଲ୍ପିଜି ରହିଛି।
