ଭୁବନେଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ଅବସରରେ ପଞ୍ଚମ ଦିବସରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୫:୩୦ ମିନିଟରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏହି ଦୌଡ଼ର ଶୁଭାରମ୍ଭ ହୋଇଥିଲା।
ଏହି ପବିତ୍ର ମୁକ୍ତେଶ୍ୱର ମନ୍ଦିର ପୀଠରୁ ବାହାରି ଐତିହ୍ୟ ଗଣଦୌଡ଼ ରାମେଶ୍ୱର ମନ୍ଦିର, ବିବେକାନନ୍ଦ ମାର୍ଗ, ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଲୁଇସ୍ ରୋଡ୍, ବିଜେବି କଲେଜ ଏବଂ ରବି ଟକିଜ ଛକ ଦେଇ ଐତିହାସିକ ରାଜାରାଣୀ ମନ୍ଦିରଠାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର କ୍ରୀଡ଼ାବିତ୍, ଯୁବଗୋଷ୍ଠୀ, ଦିବ୍ୟାଙ୍ଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇ ଓଡ଼ିଶାର ସମୃଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ପ୍ରଚାର ପାଇଁ ସଂକଳ୍ପ ନେଇଥିଲେ।
ଏହି ଐତିହ୍ୟ ଗଣଦୌଡ଼ରେ ଚନ୍ଦନ ସାମଲ ପ୍ରଥମ, ସିଦ୍ଧାର୍ଥ କୁମାର ମିଶ୍ର ଦ୍ବିତୀୟ ଏବଂ ବିଜୟ ଅଗ୍ରଓ୍ବାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ବିଜୟୀ ହୋଇଥିବା ଚନ୍ଦନ ସାମଲ, ସିଦ୍ଧାର୍ଥ କୁମାର ମିଶ୍ର ଏବଂ ବିଜୟ ଅଗ୍ରଓ୍ବାଲଙ୍କୁ ପଦକ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦକ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂହ କହିଥିଲେ ଯେ, ଏହି ଗଣଦୌଡ଼ କେବଳ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ନୁହେଁ, ବରଂ ନିଜ ଐତିହ୍ୟ ସହ ଯୁବପିଢ଼ିକୁ ଯୋଡ଼ିବାର ଏକ ସୁନ୍ଦର ପ୍ରୟାସ। ଆମ ରାଜ୍ୟର ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜି ହେଉଛି ଓଡ଼ିଆ ଅସ୍ମିତାର ପ୍ରତୀକ ଏବଂ ଏହାର ସଂରକ୍ଷଣ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଶେଷରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିକୁ ନିଜ ମାଟିର ଗୌରବମୟ ଇତିହାସ ସହ ଯୋଡ଼ିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଭୁପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଓ ବିଜୟ କୁମାର ସ୍ୱାଇଁଙ୍କ ସମେତ ଅଲମ୍ପିଆନ୍ ଅନୁରାଧା ବିଶ୍ବାଳ ଓ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ସଙ୍ଗୀତା ଶିବାନୀ ପ୍ରମୁଖ ଉପସ୍ଥିତ ଥିଲେ।

