ତେହେରାନ: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଶନିବାର ଇରାନର ବୁଶେର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଫଳରେ ଏହି ପ୍ଲାଣ୍ଟର ଜଣେ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ଜଣାପଡିଛି। ଆକ୍ରମଣରେ ପ୍ଲାଣ୍ଟର ଏକ କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ତେବେ ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟର କ୍ଷତି ଘଟିନଥିବା ଏବଂ ବିକୀରଣ ହୋଇନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଅପରପକ୍ଷରେ ଏଭଳି ଆକ୍ରମଣକୁ ଆଇଏଇଏ (ଆନ୍ତର୍ଜାତିକ ପରମାଣୁ ଶକ୍ତିି ଏଜେନ୍ସି) ପକ୍ଷରୁ ସମାଲୋଚନା କରାଯାଇଛି। କୌଣସି ପରିସ୍ଥିତିରେ ପରମାଣୁ ପ୍ରକଳ୍ପ କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରାଯିବା ଅନୁଚିତ ବୋଲି ଆଇଏଇ ଏ ମହାନିର୍ଦେଶକ ରାଫେଲ ମାରିଆନୋ ଗ୍ରୋସ କହିଛନ୍ତି। ଯଦି କୌଣସି ପରିସ୍ଥିତିରେ ପରମାଣୁ ପ୍ରକଳ୍ପ କ୍ଷତିଗ୍ରସ୍ତ ହୁଏ, ତେବେ ଏହା ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

