ନୂଆଦିଲ୍ଲୀ: ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା ଓ ଇସ୍ରାଏଲ ସମେତ ୮ଟି ରାଷ୍ଟ୍ରକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି। ଏଭଳି ଉଲ୍ଲେଖନୀୟ ସଫଳତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଚ୍ଚପ୍ରଶଂସା କରିଛନ୍ତି।
ଭାରତରୁ ପ୍ରତିରକ୍ଷା ସାମଗ୍ରୀ ଆବଦାନୀ କରିବାରେ ମ୍ୟାଁମାର ତାଲିକାର ସର୍ବାଗ୍ରେ ରହିଛି। ଭାରତର ରପ୍ତାନି ପରିମାଣର ୨୮ ପ୍ରତିଶତ ମ୍ୟାଁମାରକୁ ଯାଉଥିବାବେଳେ ଏହାପଛକୁ ଫିଲିପାଇନ୍ସ (୧୯ ପ୍ରତିଶତ), ଆର୍ମେନିଆ (୧୫ ପ୍ରତିଶତ), ଶ୍ରୀଲଙ୍କା (୧୩ ପ୍ରତିଶତ), ମରିସସ୍ ୮.୩ ପ୍ରତିଶତ, ସିଚେଲ୍ସ (୬ ପ୍ରତିଶତ) ରହିଥିବା ପ୍ରକାଶ। ଭାରତ ବିଦେଶକୁ ଅଧିକ ସଂଖ୍ୟକ ଯୁଦ୍ଧପୋତ (୫୫ ପ୍ରତିଶତ) ରପ୍ତାନି କରୁଥିବାବେଳେ ଏହାପଛକୁ ତୋପ (୧୩ ପ୍ରତିଶତ), କ୍ଷେପଣାସ୍ତ୍ର (୧୨ ପ୍ରତିଶତ), ସେନ୍ସର ଓ ସର୍ଭିଲାନ୍ସ ଯନ୍ତ୍ରାଂଶ (୯ ପ୍ରତିଶତ), ଲଢୁଆ ଜେଟ୍ (୬ ପ୍ରତିଶତ), ଏୟାର ଡିଫେନ୍ସ ସିଷ୍ଟମ (୫.୩ ପ୍ରତିଶତ) ସାମିଲ ରହିଛି।

