Election commission rejects claims

ନୂଆଦିଲ୍ଲୀ:ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନକୁ ଅବାଧ ଓ ନିଷ୍ପକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଆକ୍ସନ ମୋଡ୍ରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ନଗଦ ଟଙ୍କା, ମଦ ଏବଂ ଡ୍ରଗ୍ସ ଉପରେ କମିଶନଙ୍କ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟରୁ ୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଓ ନଗଦ ଟଙ୍କା ଜବତ କରାଯାଇଛି । ନିର୍ବାଚନ କମିଶନଙ୍କ ‘ଇଲେକ୍ଟ୍ରୋନିକ ଜବତ ପରିଚାଳନା ପ୍ରଣାଳୀ’ ଅନୁଯାୟୀ, ୫ ଏପ୍ରିଲ ସୁଦ୍ଧା ମୋଟ୍ ୬୫୧.୫୧ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ଜବତ ହୋଇଥିବା ଟଙ୍କା ମଧ୍ୟରୁ ୫୩.୨ କୋଟି ନଗଦ ଟଙ୍କା, ୭୯.୩ କୋଟି ଟଙ୍କାର ମଦ, ୨୩୦ କୋଟି ଟଙ୍କାର ନିଶାଦ୍ରବ୍ୟ, ୫୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଯେପରିକି ସୁନା ଓ ରୁପା, ୨୩୧ କୋଟି ଟଙ୍କାର ମାଗଣା ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି।

ଜବତ ତାଲିକାରେ ପଶ୍ଚିମବଙ୍ଗ ସବୁଠୁ ଆଗରେ ରହିଛି । ପଶ୍ଚିମବଙ୍ଗରୁ ୩୧୯ କୋଟି ଟଙ୍କା, ତାମିଲନାଡୁରୁ ୧୭୦ କୋଟି ଟଙ୍କା, ଆସାମରୁ ୯୭ କୋଟି ଟଙ୍କା, କେରଳରୁ ୫୮ କୋଟି ଟଙ୍କା, ପୁଡ଼ୁଚେରୀରୁ ୭ କୋଟି ଟଙ୍କା ଜବତ ହୋଇଛି । ନିର୍ବାଚନକୁ ହିଂସାମୁକ୍ତ ଓ ପ୍ରଲୋଭନମୁକ୍ତ କରିବା ପାଇଁ କମିଶନ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ୫,୧୭୩ରୁ ଅଧିକ ଫ୍ଲାଇଂ ସ୍କ୍ୱାଡ୍ ଦଳ ମୁତୟନ କରାଯାଇଛି। ଯେକୌଣସି ଅଭିଯୋଗର ୧୦୦ ମିନିଟ୍ ମଧ୍ୟରେ ସମାଧାନ କରାଯିବ।୫,୨୦୦ରୁ ଅଧିକ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରୁଛନ୍ତି।

ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ସହିତ ଲାଗିଥିବା ୧୨ଟି ପଡ଼ୋଶୀ ରାଜ୍ୟର ସୀମାରେ ମଧ୍ୟ କଡ଼ା ନଜର ରଖାଯାଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ସୂଚନା ଦେବା ପାଇଁ ସାଧାରଣ ନାଗରିକ ‘ସି-ଭିଜିଲ’ ଆପ୍ ବ୍ୟବହାର କରିପାରିବେ । ଏଥି ସହିତ, ଯାଞ୍ଚ ସମୟରେ ଯେପରି ସାଧାରଣ ଜନତା ହଇରାଣ ନହୁଅନ୍ତି, ସେଥିପାଇଁ ଜିଲ୍ଲା ସ୍ତରରେ ଅଭିଯୋଗ ନିବାରଣ କମିଟି ଗଠନ କରାଯାଇଛି । ଏହି ୫ଟି ରାଜ୍ୟରେ ଏପ୍ରିଲ ୯ ଏବଂ ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବାବେଳେ, ମେ ୪ ତାରିଖରେ ଭୋଟ୍ ଗଣତି କରାଯିବ ।

Share